ଲୋକଙ୍କ ଠାରୁ ନିୟମିତ ଫିଡ୍ବ୍ୟାକ୍ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ସରକାରର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରି ଏ କ୍ଷେତ୍ରରେ କ୍ରିୟାଶୀଳ ହୋଇ କାର୍ଯ୍ୟ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ସବୁ ସରକାରଙ୍କ ଲକ୍ଷ୍ୟ ଲୋକଙ୍କୁ ସେବା ଯୋଗାଇବା। ତେଣୁ ଲୋକଙ୍କ ଠାରୁ ନିୟମିତ ଭାବରେ ଫିଡବ୍ୟାକ୍ ଗ୍ରହଣ କରିବା ସହିତ ତାହାକୁ ଭିତ୍ତିକରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନେଲେ କିମ୍ବା ନୀତି ବା ପ୍ରକ୍ରିୟାରେ ଆବଶ୍ୟକ ସଂଶୋଧନ କରିବା ଦ୍ୱାରା ଲୋକଙ୍କ ପାଖରେ ସରକାରଙ୍କ ପ୍ରାସଙ୍ଗିକତା ରହିବ।
ରାଜ୍ୟ ସରକାରଙ୍କ ପ୍ରଶାସନ 5-T ନୀତି ଦ୍ୱାରା ପରିଚାଳିତ ଓ ଏହାଦ୍ୱାରା ସବୁ କ୍ଷେତ୍ରରେ ରୂପାନ୍ତର ଆଣିବା ଆମର ଲକ୍ଷ୍ୟ। ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ଏବେ ଯେଉଁ ଉଲ୍ଲେଖନୀୟ ପଦକ୍ଷେପ ନେଇ ସାରା ବିଶ୍ବର ନଜରକୁ ଆସିପାରିଛି, ମହିଳା ସଶକ୍ତିକରଣ ଠାରୁ ଆରମ୍ଭ କରି କୃଷକମାନଙ୍କୁ ସହାୟତା, ସହରାଞ୍ଚଳ ପରିଚାଳନା ବ୍ୟବସ୍ଥା, କ୍ରୀଡ଼ା, ଦକ୍ଷତା ବିକାଶ, ସ୍ୱାସ୍ଥ୍ୟସେବା ଓ ସ୍କୁଲ ରୁପାନ୍ତର ଆଜି କାର୍ଯ୍ୟକ୍ରମଗୁଡ଼ିକରେ ରାଜ୍ୟ ଅନେକ ପ୍ରଶଂସା ପାଇଛି।
ସେହିଭଳି ମୋ ସରକାର କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରି 5-T ସଚିବ ଭି.କେ.ପାଣ୍ଡିଆନ୍ କହିଥିଲେ ବ୍ୟବସ୍ଥା କିପରି କାମ କରୁଛି ତାକୁ ଜାଣିବା ହେଉଛି ମୋ ସରକାରର ଲକ୍ଷ୍ୟ। ଲୋକଙ୍କୁ ସମ୍ମାନର ସହିତ ସେବା ଯୋଗାଇଦେବା ହେଉଛି ସରକାରଙ୍କ ଦାୟିତ୍ୱ। ସେମାନେ ଯେଭଳି କୌଣସି କାର୍ଯ୍ୟାଳୟରେ ଖରାପ ବ୍ୟବହାର ନପାଆନ୍ତି ଏବଂ ବୃତ୍ତିଗତ ସେବା ପାଆନ୍ତି ତାକୁ ସୁନିଶ୍ଚିତ କରିବା ହେଉଛି ମୋ ସରକାରର ଲକ୍ଷ୍ୟ। ତେବେ ବର୍ତ୍ତମାନ ୨୭ଟି ବିଭାଗର ୨୨୫ଟି ସେବା ମୋ ସରକାରରେ ଅନ୍ତର୍ଭୁକ୍ତ ହୋଇଛି । ଆଉ ମାସେ ଭିତରେ ୨୫୦ଟି ସେବା ଅନ୍ତୁର୍ଭୁକ୍ତ ହେବ । ଏହି କାର୍ଯ୍ୟକ୍ରମରେ ବର୍ତ୍ତମାନ ସୁଦ୍ଧା ସାରା ରାଜ୍ୟରେ ୨କୋଟି ଲୋକଙ୍କ ଡାଟାବେସ୍ ରଖାଯାଇଛି । ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ।


























