ମାହାଙ୍ଗା ଡବଲ୍ ମର୍ଡର : ବିଧାୟକ ପ୍ରତାପ ଜେନାଙ୍କୁ କୋର୍ଟ ସମନ ଦେଲେ ସ୍ପେଶାଲ ମେସେଞ୍ଜର

କଟକ : ମାହାଙ୍ଗା ଡବଲ୍ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କୁ କୋର୍ଟଙ୍କ ସମନ ହସ୍ତାନ୍ତର। ସ୍ପେଶାଲ ମେସେଞ୍ଜର ଆଜି ତାଙ୍କ ଭୁବନେଶ୍ୱର ବାସଭବନରେ ପହଞ୍ଚି ସମନ ଦେଇଥିବା ବେଳେ ଅକ୍ଟୋବର ୩୧ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ରହିଥିବା ଜଣାପଡିଛି।
ଖବର ଅନୁଯାୟୀ ସାଲେପୁର ଜେଏମଏଫସି କୋର୍ଟ ପକ୍ଷରୁ ପ୍ରତାପ ଜେନଙ୍କୁ ଏହି ସମନ କରାଯାଇଛି। ମାହାଙ୍ଗା ଡବଲ୍ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ବିରୋଧରେ ହତ୍ୟା, ହତ୍ୟା ଷଡ଼ଯନ୍ତ୍ର ଓ ଧମକ ଭଳି ଦଫାରେ ମାମଲା ଚାଲୁ ରଖିବାକୁ ସାଲେପୁର ଜେଏମଏଫସି ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ।
ସୂଚନାଯୋଗ୍ୟ ୨୦୨୧ ଜାନୁଆରୀ ୨ ତାରିଖ ସନ୍ଧ୍ୟାରେ ମାହାଙ୍ଗାର ବରିଷ୍ଠ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସଂପର୍କୀୟ ଦିବ୍ୟ ସିଂହ ବରାଳଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାରେ ୧୩ ଜଣଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିଲା। ବିଧାୟକ ପ୍ରତାପ ଜେନାଙ୍କ ବିରୋଧରେ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ ଚାର୍ଜସିଟରେ ତାଙ୍କ ନାଁ ନଥିଲା।