୨୦୨୪ : ୩୩ ପ୍ରତିଶତ ମହିଳା ସଂରକ୍ଷଣ ଉପରେ ରହିବ ବିଜେଡ଼ିର ଫୋକସ

ଭୁବନେଶ୍ଵର : ୨୦୨୪ ସାଧାରଣ ନିର୍ବାଚନରେ ବିଜେଡିର ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱ ଦେବ। ୩୩ ପ୍ରତିଶତ ମହିଳାଙ୍କ ସଂରକ୍ଷଣ ଉପରେ ରହିବ ଫୋକସ। ମହିଳା କାର୍ଯ୍ୟକାରିଣୀ ବୈଠକରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଏନେଇ ସଂକେତ ଦେଇଛନ୍ତି। ଆଉ କହିଛନ୍ତି ବିଧାନସଭା ଓ ଲୋକସଭାକୁ କେମିତି ଅଧିକରୁ ଅଧିକ ମହିଳା ପ୍ରତିନିଧିତ୍ୱ କରିବେ ତା’ ଉପରେ ଦଳ ଗୁରୁତ୍ୱ ଦେଉଛି।

ଖବର ଅନୁଯାୟୀ ବିଜୁ ମହିଳା ଜନତା ଦଳ ମହିଳା କାର୍ଯ୍ୟକାରିଣୀରେ ଭିଡିଓ କନଫରେନ୍ସିଂ ଜରିଆରେ ସାମିଲ ହୋଇଥିଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। ଏହି ଅବସରରେ ନବୀନ କହିଥିଲେ ମହିଳା ସଶକ୍ତିକରଣ ଏକ ସ୍ଲୋଗାନ ନୁହେଁ, ଏହା ପ୍ରଗତିର ମନ୍ତ୍ର। ସେ କହିଛନ୍ତି ମହିଳାମାନେ ପଞ୍ଚାୟତକୁ ସଂସଦ ପର୍ଯ୍ୟନ୍ତ ନେତୃତ୍ୱ ନିଅନ୍ତୁ। ସେ ଆହୁରି ମଧ୍ୟ କହିଛନ୍ତି ତୃଣମୂଳ ସ୍ତରରେ ମହିଳାଙ୍କ ପ୍ରତିନିଧିତ୍ୱ ବୃଦ୍ଧି ପାଇଛି। କିନ୍ତୁ ସେହି ଅନୁପାତରେ ବିଧାନସଭା ଓ ସଂସଦରେ ପ୍ରତିନିଧିତ୍ୱ ବଢ଼ିନାହିଁ। ତେଣୁ ସଂସଦ ଓ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ କରିବାକୁ ବିଜେଡି ସ୍ୱର ଉଠାଇବ।

ସୂଚନାଯୋଗ୍ୟ ଗତ ତ୍ରୀସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡି ମହିଳାଙ୍କୁ ୫୦ ପ୍ରତିଶତରୁ ଅଧିକ ଆସନରେ ପ୍ରାର୍ଥୀ କରିଥିଲା। ସେହିପରି ୨୦୧୯ ପରେ ହୋଇଥିବା ୮ଟି ଉପନିର୍ବାଚନରେ ୫ଟି ସ୍ଥାନରେ ମହିଳାଙ୍କୁ ପ୍ରାର୍ଥୀ କରିଥିଲା ଦଳ। ସେ ଦୃଷ୍ଟିରୁ ୨୦୨୪ ନିର୍ବାଚନରେ ମହିଳା ନେତୃତ୍ୱକୁ ନବୀନ ଆଗକୁ ଆଣିବେ ବୋଲି କୁହାଯାଉଛି। ହେଲେ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ୨୦୧୯ ଲୋକସଭା ନିର୍ବାଚନରେ ବିଜେଡି ୭ଟି ସ୍ଥାନରେ ମହିଳାଙ୍କୁ ପ୍ରାର୍ଥୀ କରିଥିଲା। କିନ୍ତୁ ୧୪୭ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ମାତ୍ର ୧୯ଟି ଆସନରେ ମହିଳା ହୋଇଥିଲେ ବିଜେଡି ପ୍ରାର୍ଥୀ। ଆଗାମୀ ନିର୍ବାଚନରେ ନବୀନ ୩୩ ପ୍ରତିଶତ ହାରରେ ମହିଳାଙ୍କୁ ପ୍ରାର୍ଥୀ କରିବେ ନା ଏହି ପ୍ରସଙ୍ଗ ଏଡାଇ ଯିବାକୁ ଆଉ କିଛି ବାହାନର ସାହାରା ନେବେ ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *

Back to top button