ଜୋର ଜବରଦସ୍ତ ବନ୍ଦ କରାଯାଇପାରିବନି : ହାଇକୋର୍ଟ

ଭୁବନେଶ୍ୱର : ଆସନ୍ତାକାଲି ୬ ଘଣ୍ଟିଆ ଓଡ଼ିଶା ବନ୍ଦ। ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିବା ଏହି ପ୍ରସଙ୍ଗରେ ହାଇକୋର୍ଟ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜୋର ଜବରଦସ୍ତି କାହାରିକୁ ବନ୍ଦ କରାଯାଇ ପାରିବ ନାହିଁ।

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବରଖାସ୍ତ ଓ ମମିତାଙ୍କ ପରିବାରକୁ ନ୍ୟାୟ ଦାବିରେ ଆସନ୍ତାକାଲି (୧୨ ତାରିଖ)ରେ କଂଗ୍ରେସ ୬ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛି। ଏହି ସମୟରେ ଦୋକାନ ବନ୍ଦ କରିବାକୁ କୁହାଯାଇଥିବାରୁ ଏହା ବିରୋଧରେ କଟକର ଜଣେ ବ୍ୟବସାୟୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ଏହାର ଶୁଣାଣି କରି କହିଛନ୍ତି ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶାନାମା ଆଧାରରେ କୌଣସି ପ୍ରକାର ଜବରଦସ୍ତି ବନ୍ଦ କରାଯାଇପାରିବ ନାହିଁ। ବନ୍ଦ ବଦଳରେ କେବଳ ହରତାଳ କରିପାରିବେ।

ସେହିପରି କୌଣସି ଗାଡ଼ିମୋଟର ଅଟକ ଓ ରେଳ କିମ୍ବା ରାସ୍ତାରୋକ କରାଯାଇ ପାରିବ ନାହିଁ। ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶାନାମା ଅନୁଯାୟୀ ଅଖ ଓ ଚକ ବନ୍ଦ ବେଆଇନ୍ କାମ ବୋଲି ହାଇକୋର୍ଟ କହିଛନ୍ତି। ହାଇକୋର୍ଟଙ୍କ ଶୁଣାଣି ସମୟରେ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବୀ ବିଶ୍ୱାଳ, କମିଶନରେଟ୍ ପୋଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏବଂ ଡିଜିପି ମଧ୍ୟ ଉପସ୍ଥିତ ଥିଲେ। ସମସ୍ତେ ଭର୍ଚୁଆଲୀ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *

Back to top button