ଯୁବତୀଙ୍କୁ ପରିଚୟ ଲୁଚାଇ ବାହା ହେଲେ ୧୦ ବର୍ଷ ଜେଲ୍

ନୂଆଦିଲ୍ଲୀ : ଯଦି କୌଣସି ଯୁବତୀଙ୍କୁ ପରିଚୟ ଲୁଚାଇ ବିବାହ କରନ୍ତି କିମ୍ବା ପଦୋନ୍ନତି ଓ ଚାକିରିର ପ୍ରଲୋଭନ ଦେଖାଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖନ୍ତି ତେବେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ମିଳିପାରେ। ସଂସଦରେ ଉପସ୍ଥାପିତ ବିଲରେ ଏପରି ପ୍ରସ୍ତାବ ଦିଆଯାଇଛି।
ଖବର ଅନୁଯାୟୀ ଶୁକ୍ରବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଲୋକସଭାରେ ଭାରତୀୟ ନ୍ୟାୟ ସଂହିତା ବିଲ୍ ଆଗତ କରିଥିଲେ। ଏଥିରେ ମହିଳାଙ୍କ ପ୍ରତି ହେଉଥିବା ଅପରାଧ ସହ ଜଡ଼ିତ ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ଵ ଦିଆଯାଇଛି। ସେ କହିଛନ୍ତି ଏହି ବିଲ୍ରେ ମହିଳାଙ୍କ ପ୍ରତି ହେଉଥିବା ଅପରାଧ ଓ ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ କରାଯାଇଛି। ବିବାହ, ଚାକିରି ପ୍ରଲୋଭନ ଓ ପରିଚୟ ଲୁଚାଇ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ଅପରାଧ ଶ୍ରେଣୀଭୁକ୍ତ କରାଯାଇଛି।
ସେହିପରି ବିଲ୍ର ବ୍ୟବସ୍ଥା ରହିଛି କୌଣସି ବ୍ୟକ୍ତି ବିବାହ ଉଦ୍ଦେଶ୍ୟ ନରଖି ଯୁବତୀଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖନ୍ତି ତେବେ ଏଥିପାଇଁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡାଦେଶ ମିଳିବ ଓ ଜରିମାନା ଆଦାୟ କରାଯିବ।