କଂଗ୍ରେସ ଭବନରେ ତାରା ବିରୋଧୀ ଗୋଷ୍ଠୀର ଶକ୍ତି ପ୍ରଦର୍ଶନ

ଭୁବନେଶ୍ଵର : କୋରାପୁଟ କଂଗ୍ରେସରେ ବିବାଦ। ବିଧାୟକ ତାରାପ୍ରସାଦ ବାହିନୀପତି ସମର୍ଥକଙ୍କୁ ଧରି ଦୁଇଦିନ ତଳେ କଂଗ୍ରେସ ଭବନରେ ଶକ୍ତି ପ୍ରଦର୍ଶନ କରିଥିଲେ। ବୁଧବାର ବିରୋଧୀ ଗୋଷ୍ଠୀ କଂଗ୍ରେସ ଭବନରେ ପହଞ୍ଚି ତାରା ଓ କୋରାପୁଟ ଜିଲ୍ଲା ସଭାପତି ମିନାକ୍ଷୀଙ୍କ ବିରୋଧରେ ଫେରାଦ ହୋଇଛନ୍ତି। ଦାବି କରିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ପରିବର୍ତ୍ତନ କରାଯାଉ।
ଖବର ଅନୁଯାୟୀ କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ପଦ ପାଇଁ ସାଂସଦ ସପ୍ତଗିରି ଉଲ୍ଲାକା ଓ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ମଧରେ ଚାଲିଛି ପ୍ରତିଯୋଗିତା। ଏହାର ଏକ ଦୃଶ୍ୟ ରାଜଧାନୀ ଭୂବନେଶ୍ଵରରେ ଦେଖିବାକୁ ମିଳିଛି। ବୁଧବାର କୋରାପୁଟ ଜିଲ୍ଲା କଂଗ୍ରେସର ଶତାଧିକ କର୍ମୀ କଂଗ୍ରେସ ଭବନକୁ ଆସି ମିନାକ୍ଷୀଙ୍କ ଜିଲ୍ଲା ସଭାପତି ପଦକୁ ବିରୋଧ କରିଛନ୍ତି। ଏଥିସହ ସାଂସଦଙ୍କ ସମର୍ଥକମାନେ ବିଧାୟକଙ୍କ ବିରୋଧରେ ନାରାବାଜି କରିବାକୁ ପଛାଇନାହାନ୍ତି। ପିସିସି ସଭାପତି ଶରତ ପଟ୍ଟନାୟକ ଗୋଷ୍ଠୀ କନ୍ଦଳ ଚର୍ଚ୍ଚାକୁ ଏଡ଼ାଇ ଯାଇ କିଏ ଜିଲ୍ଲା ସଭାପତି ହେବ ତା’ର ନିଷ୍ପତ୍ତି ଏଆଇସିସି ନେବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପତ୍ନୀ ତଥା କୋରାପୁଟ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ବଦଳିବେ ଚର୍ଚ୍ଚା ଜୋର୍ ଧରିଥିଲା। ଗତ ରବିବାର ବିଧାୟକ ବାହିନୀପତି କଂଗ୍ରେସ ଭବନରେ ନିଜ ସମର୍ଥକଙ୍କ ସହ ଶକ୍ତି ପ୍ରଦର୍ଶନ କରିଥିଲେ। ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଭେଟି ପୁନର୍ବାର ମିନାକ୍ଷୀ ବାହିନୀପତିଙ୍କୁ କୋରାପୁଟ ଜିଲ୍ଲା କଂଗ୍ରେସ ସଭାନେତ୍ରୀ କରିବାକୁ ଦାବି କରିଥିଲେ।