ଏୟାର ହୋଷ୍ଟେସଙ୍କୁ ଦୁଷ୍କର୍ମ ଉଦ୍ୟମ : ବିରୋଧ କରିବାରୁ ହତ୍ୟାକଲା ଅଭିଯୁକ୍ତ

ମୁମ୍ବାଇ : ମୁମ୍ବାଇର ଏୟାର ହୋଷ୍ଟେସ ରୁପଲ ଓଗରେଙ୍କୁ ହତ୍ୟା ଘଟଣାରେ ସଫେଇ କର୍ମଚାରୀ ବିକ୍ରମ ଅଟୱାଲ ଗିରଫ ହୋଇଛି। ସେ ଦୁଷ୍କର୍ମ କରିବାକୁ ଚାହୁଥିଲା। କିନ୍ତୁ ରୁପଲ ବିରୋଧ କରିବାରୁ ଗଳା କାଟି ହତ୍ୟା କରିଥିବା ସ୍ଵୀକାର କରିଛି।
ଖବର ଅନୁଯାୟୀ ପୋଲିସକୁ ବିକ୍ରମ କହିଛି ଘଟଣା ଦିନ ଅଳିଆ ଆଣିବା ପାଇଁ ସେ ରୁପଲ ରହୁଥିବା ତୃତୀୟ ମହଲା ଘରକୁ ଯାଇଥିଲା। ରୁପଲ କବାଟ ଖୋଲିବା ପରେ ଅଳିଆ ନେବା ବାହାନାରେ ଗାଧୁଆ ଘର ପାଇପ୍ ଲିକ୍ ଅଛି କହି ଦେଖିବାକୁ ଚାହିଥିଲା ବିକ୍ରମ। ଏହା ପରେ ରୁପଲ ତାଙ୍କୁ ଭିତରକୁ ଆସିବାକୁ ଦେଇଥିଲେ। ରୁପଲ ଲିକ୍ କେଉଁଠି ଅଛି ଦେଖିବା ପାଇଁ ଗାଧୁଆ ଘର ଭିତରକୁ ଯିବା ପରେ ବିକ୍ରମ ତାଙ୍କୁ ଜାବୁଡ଼ି ଧରିବା ସହ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା। ରୁପଲ ବିରୋଧ କରିବାରୁ ସେ ରାଗରେ ରୁପଲଙ୍କ ବେକକୁ ଛୁରୀରେ ୨ଥର ଆକ୍ରମଣ କରିବାରୁ ତାର ମୃତ୍ୟୁ ଘଟିଥିଲା। ପରେ ବିକ୍ରମ ରକ୍ତଭିଜା ପୋଷାକ ଧୋଇ ଘର ବାହାରକୁ ଚାଲିଯାଇଥିଲା। ହେଲେ ବିକ୍ରମର ଡିୟୁଟି ଅପରାହ୍ନ ୪ଟାରେ ଶେଷ ହେଉଥିବା ବେଳେ ସେଦିନ ଅପରାହ୍ନ ୨ଟାରେ ଘରକୁ ଫେରିଯାଇଥିବାରୁ ପୋଲିସର ସନ୍ଦେହ ହୋଇଥିଲା।