ମୁମ୍ବାଇ ଆର୍ଥର୍‌ ରୋଡ୍‌ ଜେଲ୍‌ରେ ଅର୍ଯ୍ୟନ କଏଦୀ ନମ୍ବର ୯୫୬

ମୁମ୍ବାଇ : ବଲିଉଡ ସୁପରଷ୍ଟାର ଶହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ ଖାନ ମୁମ୍ବାଇ ଆର୍ଥର୍ ଜେଲ୍‌ରେ କଏଦୀ ନମ୍ବର ୯୫୬ ଭାବେ ଆସନ୍ତା ୨୦ ତାରିଖ ଯାଏ ରହିବେ। କୋଭିଡ-୧୯ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବା ପରେ ତାଙ୍କୁ ଜେଲ୍‌ର ଏକ ସାଧାରଣ କଠୋରୀକୁ ସ୍ଥାନାନ୍ତରିତ କରାଯାଇଛି। ଏହି ମାମଲାରେ ଗିରଫ ଅନ୍ୟ ୫ ଜଣଙ୍କୁ ମଧ୍ୟ ଜେଲ୍‌ର କ୍ୱାରେଣ୍ଟାଇନ୍‌ ସେଲ୍‌ରୁ ବାହାର କରି ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିବା ଜେଲ୍‌ ଅଧିକାରୀ ସୂଚନା ଦେଇଛନ୍ତି।

ଖବର ଅନୁଯାୟୀ ମୁମ୍ବାଇର ସେସନ୍ କୋର୍ଟ ଗତକାଲି ଆର୍ଯ୍ୟନ୍‌ଙ୍କ ଜାମିନ ଆବେଦନର ଶୁଣାଣି କରିଥିଲେ ହେଁ ଆସନ୍ତା ବୁଧବାର ଯାଏ ରାୟ ସଂରକ୍ଷିତ ରଖିଛନ୍ତି। ତେଣୁ ତାଙ୍କୁ ଆଉ ୬ ଦିନ ଜେଲରେ ରହିବାକୁ ପଡ଼ିବ। ଆର୍ଯ୍ୟନଙ୍କ କ୍ୱାରେଣ୍ଟାଇନ ସରିଥିବାରୁ ଜେଲରେ ସେ ସାଧାରଣ କଏଦୀ ଭଳି ରହିବେ। ଫୋନ୍ ବ୍ୟବହାର ପାଇଁ ତାଙ୍କୁ ଅନୁମତି ମିଳିବନି କିମ୍ବା ଘରର ଖାଦ୍ୟ ଦିଆଯିବ ନାହିଁ।

ଜେଲ୍‌ କର୍ତ୍ତୃପକ୍ଷ କହିଛନ୍ତି ପରିବାର ଲୋକେ ଆର୍ଯ୍ୟନ୍‌ଙ୍କ ପାଇଁ ୪,୫୦୦/- ଟଙ୍କା ‘ମନି ଅର୍ଡର୍‌’ ପଠାଇଛନ୍ତି। ପ୍ରାପ୍ତ ଅର୍ଥରେ ସେ ଜେଲ୍‌ କ୍ୟାଣ୍ଟିନ୍‌ରୁ ଖାଦ୍ୟ ଓ ପାନୀୟ ଖରିଦ କରିବେ। ଜେଲ୍‌ ନିୟମ ଅନୁସାରେ ମାସକୁ ଜଣେ କଏଦୀ ଟ. ୪,୫୦୦/-ରୁ ଅଧିକ ଟଙ୍କାର ‘ମିନି ଅର୍ଡର୍‌’ ପାଇ ପାରିବେ ନାହିଁ। ଜେଲ୍‌ ସୂତ୍ରରୁ ଜଣାପଡିଛି ଆର୍ଯ୍ୟନ୍‌ ଜେଲ୍‌ରେ ଅସ୍ଥିର, ଚିନ୍ତିତ ଓ ଲଜ୍ଜା ଅନୁଭବ କରୁଛନ୍ତି। ସୁରକ୍ଷା ଦୃଷ୍ଟିରୁ ମୁମ୍ବାଇ ଡ୍ରଗ୍‌ ମାମଲାର ଅଭିଯୁକ୍ତମାନଙ୍କୁ ଅନ୍ୟ କଏଦୀମାନଙ୍କ ବାରାକ୍‌ ଠାରୁ ପୃଥକ୍‌ ଏକ ବାରାକ୍‌ରେ ରଖାଯାଇଛି। ସକାଳ ୬ଟାରେ ଶଯ୍ୟାତ୍ୟାଗ କରୁଛନ୍ତି। ସକାଳ ୭ଟାରେ ଜଳଖିଆ ଓ ୧୧ଟାରେ ମଧ୍ୟାହ୍ନ ଭୋଜନ ଦିଆଯିବା ପରେ ବାରାକ୍‌ ବନ୍ଦ କରାଯାଉଛି। ଅପରାହ୍ଣରେ କଏଦୀମାନେ ଜେଲ୍‌ ମଧ୍ୟଭାଗରେ ଥିବା ପଡ଼ିଆରେ ଚଲାବୁଲା କରୁଛନ୍ତି।

Leave a Reply

Your email address will not be published. Required fields are marked *

Back to top button