ମୁମ୍ବାଇରେ ଘଟିଛି ଦିଲ୍ଲୀ ନିର୍ଭୟା କାଣ୍ଡର ପୁନରାବୃତ୍ତି

ମୁମ୍ବାଇ : ୨୦୧୨ ଦିଲ୍ଲୀ ନିର୍ଭୟା କାଣ୍ଡର ପୁନରାବୃତ୍ତି ମୁମ୍ବାଇରେ ଘଟିଛି। ମୁମ୍ବାଇର ସାକିନାକାରେ ଜଣେ ୩୦ ବର୍ଷୀୟ ମହିଳାଙ୍କୁ ଦୁଷ୍କର୍ମ ପରେ ଗୁପ୍ତାଙ୍ଗରେ ରଡ ପୁରାଇ ଦେଇଥିବାରୁ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ମାମଲାରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଅନ୍ୟମାନେ ଫେରାର ଅଛନ୍ତି।

ଖବର ଅନୁଯାୟୀ ମୁମ୍ବାଇର ଏହି ଦୁଷ୍କର୍ମ ଘଟଣା ପ୍ରଚାରିତ ହେବା ପରେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ମାମଲାରେ ଅନେକ ଲୋକଙ୍କ ସମ୍ପୃକ୍ତି ନେଇ ପୋଲିସ ସନ୍ଦେହ କରୁଥିବା ବେଳେ ଗିରଫ ଅଭିଯୁକ୍ତକୁ ପଚରା ଉଚରା ଜାରି ରହିଛି।

ଗୁରୁବାର ବିଳମ୍ବିତ ରାତ୍ରିରେ ସାକିନାକା ଖୈରାନୀ ରୋଡରେ ଏହି ଘଟଣା ହୋଇଥିବା କୁହାଯାଉଛି। ରାତି ପ୍ରାୟ ୩ଟା ୩୦ ମିନିଟ୍‌ରେ ପୋଲିସକୁ ଘଟଣା ସମ୍ପର୍କରେ ନେଇ ସୂଚନା ମିଳିଥିବାରୁ ସାକିନାକା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ରକ୍ତରେ ଜୁଡୁବୁଡୁ ବୋହୋସ ମହିଳାଙ୍କୁ ଉଦ୍ଧାର କରି ରାଜାବାଡୀ ହସ୍ପିଟାଲରେ ଭର୍ତ୍ତି କରିଛି। ସେଠାରେ ଏବେ ମହିଳାଙ୍କ ଚିକିତ୍ସା ଜାରି ରହିଛି। ରାଜ୍ୟରେ ଗଣେଶ ପୂଜା ମାହୋଲ ସାଙ୍ଗକୁ ଅପରାଧର ସାଂଘାତିକତାକୁ ଦୃଷ୍ଟିରେ ରଖି ମୁମ୍ବାଇ ପୋଲିସର ଉଚ୍ଚ ଅଧିକାରୀମାନେ ଶୁକ୍ରବାର ସାକିନାକା ଥାନାରେ ଡେରା ପକାଇଛନ୍ତି। ଯେପରି ପରିସ୍ଥିତି ନ ବିଗିଡେ ସେଥିପ୍ରତି କଡା ନଜର ରଖା ଯାଇଛି।

Leave a Reply

Your email address will not be published. Required fields are marked *

Back to top button