ଓଡ଼ିଶା କୃଷି ଶିଳ୍ପ ନିଗମ ଲିମିଟେଡ ଓ ରାଜ୍ୟ ସମବାୟ ବ୍ୟାଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଲାଭାଂଶ ପ୍ରଦାନ

ଭୁବନେଶ୍ଵର : ସମବାୟ ବିଭାଗ ଅଧୀନସ୍ଥ ରାଜ୍ୟ ସମବାୟ ବ୍ୟାଙ୍କ ଏବଂ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଅଧୀନସ୍ଥ ଓଡ଼ିଶା କୃଷି ଶିଳ୍ପ ନିଗମ ଲିମିଟେଡ ପକ୍ଷରୁ ରାଜ୍ୟ ସରକାରଙ୍କୁ ଲାଭାଂଶ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସ ଠାରେ ଏହି ଲାଭାଂଶ ଚେକ୍‌ ଗ୍ରହଣ କରିଥିଲେ। ରାଜ୍ୟ ସମବାୟ ବ୍ୟାଙ୍କ ପକ୍ଷରୁ ୨୦୨୧-୨୨ ଓ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୯ କୋଟି ୭୫ ଲକ୍ଷ ୨୪ ହଜାର ଟଙ୍କାର ଏକ ଚେକ୍‌ ଲାଭାଂଶ ବାବଦରେ ବିଭାଗୀୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସମବାୟ ବିଭାଗର କମିସନର-ତଥା-ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ ଓ ରାଜ୍ୟ ସମବାୟ ବ୍ୟାଙ୍କର ସଭାପତି ଟି. ପ୍ରସାଦ ରାଓ ଦୋରା ଉପସ୍ଥିତ ଥିଲେ। ସେହିପରି ଓଡ଼ିଶା କୃଷି ଶିଳ୍ପ ନିଗମ ପକ୍ଷରୁ ୨୦୨୦-୨୧ ଏବଂ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସମୁଦାୟ ୫ କୋଟି ୬୨ ଲକ୍ଷ ୫୩ ହଜାର ୭୯୪ ଟଙ୍କା ପ୍ରଦାନ କରାଯାଇଥିଲା। ସୂଚନାଯୋଗ୍ୟ ଯେ ଓଡ଼ିଶା କୃଷି ଶିଳ୍ପ ନିଗମ ୨୦୧୫-୧୬ ବର୍ଷ ଠାରୁ ରାଜ୍ୟ ସରକାରଙ୍କୁ ତାର ଲାଭାଂଶ ପ୍ରଦାନ କରିଆସୁଛି। କୃଷି ଶିଳ୍ପ ନିଗମର ଅଧ୍ୟକ୍ଷ ଦେବାଶିଷ ମହାନ୍ତି ଏହି ଚେକ୍‌ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। କୃଷି ନିର୍ଦ୍ଦେଶକ ତଥା ନିଗମର ପରିଚାଳନା ନିର୍ଦ୍ଦେଶକ ପ୍ରେମଚାନ୍ଦ ଚୌଧୁରୀ ଓ ଅନ୍ୟାନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Back to top button