ଦୁଷ୍କର୍ମ ମାମଲା : କଣ୍ଠଶିଳ୍ପୀ ସୌରିନଙ୍କୁ ନପାଇ କୋଲକାତାରୁ ଫେରିଲା ପୋଲିସ

କଟକ : କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ କୋଲକାତାସ୍ଥିତ ଘର ଉପରେ କମିସନରେଟ୍ ପୋଲିସ ଗତକାଲି ଚଢଉ କରିଥିଲେ ହେଁ ଖାଲି ହାତରେ ଫେରିଛି। ସେ ଏବେ ଦିଲ୍ଲୀରେ ତାଙ୍କ ପରିବାର ଲୋକେ କହିଛନ୍ତି। ଆଉ ଅଭିଯୋଗ ପୀଡ଼ିତା ସୌରିନଙ୍କୁ ବ୍ଲାକମେଲ୍ କରୁଛନ୍ତି।
ଖବର ଅନୁଯାୟୀ କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ତାଙ୍କୁ ହାଜର ହେବାପାଇଁ କୁହାଯାଇଥିଲା। କିନ୍ତୁ ସେ ନ ଆସିବାରୁ ପୋଲିସ କୋଲକାତାସ୍ଥିତ ତାଙ୍କ ଘରକୁ ଯାଇଥିଲା। ଜଣେ ମହିଳା ଏସ୍ଆଇଙ୍କ ନେତୃ୍ତ୍ଵରେ ୫ ଜଣିଆ ଟିମ୍ ଚଢ଼ଉରେ ସାମିଲ ହୋଇଥିଲେ। କୋଲକାତା ପୋଲିସର ସ୍ଵତନ୍ତ୍ର ଟିମ୍ ସହଯୋଗ କରିଥିଲେ ମଧ୍ୟ କମିସନରେଟ୍ ପୋଲିସକୁ ନିରାଶହୋଇ ଫେରିବାକୁ ପଡିଛି।
ସୂଚନାଯୋଗ୍ୟ କଟକ ଜଗତପୁରର ଜଣେ ବ୍ୟାଙ୍କ କର୍ମଚାରୀଙ୍କୁ ଦୀର୍ଘ ୮ ବର୍ଷ କାଳ କଟକ ଓ ମୁମ୍ବାଇରେ ସୌରିନ ଭଟ୍ଟ ଦୁଷ୍କର୍ମ କରି ଆସୁଥିବା ଅଭିଯୋଗ ହୋଇଛି। ଯୁବତୀଙ୍କ ନଗ୍ନ ଫଟୋ ଓ ଭିଡିଓ ଦେଖାଇ ତାଙ୍କୁ ସେ ଯୌନ ଶୋଷଣ କରୁଥିଲେ। ପୀଡ଼ିତା ବିରୋଧ କଲେ ଅମାନୁଷିକ ଭାବେ ମାଡ଼ ମାରୁଥିଲେ। ଏପରିକି ଗତ ଏପ୍ରିଲରେ ଯୁବତୀଙ୍କୁ ମହନଦୀରେ ଠେଲି ମାରିଦେବାକୁ ଉଦ୍ୟମ କରିଥିଲେ। ଏସବୁ ଅଭିଯୋଗ ନେଇ ପୀଡ଼ିତା ସୋମବାର ମହିଳା ଥାନାରେ ଫେରାଦ ହୋଇଛନ୍ତି। ପୋଲିସ ମାମଲା ରୁଜୁ କରି ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା କରାଇଛି। ହେଲେ ଗିରଫ ଭୟରେ ସୌରିନ୍ ଫେରାର ଥିବା କୁହାଯାଉଛି।