କୋଶଲ ରାଜ୍ୟ ପ୍ରସଙ୍ଗ : ନରସିଂହ – ଭୂପିନ୍ଦର ସିଂ ମୁହାଁମୁହିଁ

ଭୁବନେଶ୍ଵର : କୋଶଲ ରାଜ୍ୟ ପ୍ରସଙ୍ଗ ନେଇ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଓ ବିଜେଡି ବିଧାୟକ ଭୂପିନ୍ଦର ସିଂ ମୁହାଁମୁହିଁ ହୋଇଛନ୍ତି।

ଖବର ଅନୁଯାୟୀ ବଲାଙ୍ଗିର ଲୋଇସିଂହା ଷ୍ଟାଡିୟମରେ ଏକ ଫୁଟବଲ ମ୍ୟାଚର ଉଦଘାଟନ ଅବସରରେ ବିଧାୟକ ନରସିଂହ ମିଶ୍ର କହିଛନ୍ତି ରାଜ୍ୟ ସରକାର ପଶ୍ଚିମ ଓଡ଼ିଶାକୁ ଅବହେଳା କରୁଛନ୍ତି। ଟଙ୍କା ମଞ୍ଜୁର ହୋଇଥିଲେ ମଧ୍ୟ ରିଲିଜ କରାଯାଉନାହିଁ। ଶିକ୍ଷା, ସ୍ୱାସ୍ଥ୍ୟ, ସିନେମା, କଳା, ନିଯୁକ୍ତି ଓ ରୋଜଗାର ଆଦି କ୍ଷେତ୍ରରେ ଅବହେଳା କରାଯାଉଛି। ଯଦି ସରକାର ପଶ୍ଚିମ ଓଡ଼ିଶାର ବିକାଶ ନ କରନ୍ତି ତେବେ ରାଜ୍ୟ ଭାଗ ହୋଇ ଦୁଇଟା ରାଜ୍ୟ ହେବ। ଏଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ।
ଛତିଶଗଡ଼ର ଉଦାହରଣ ଦେଇ ସେକହିଛନ୍ତି ମଧ୍ୟପ୍ରଦେଶ ଯେତେବେଳେ ବିଭାଜିତ ହୋଇନଥିଲା ସେତେବେଳେ ରାଇପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଗଠନ ପାଇଁ ଦାବି ହେଉଥିଲା। କିନ୍ତୁ ମଧ୍ୟପ୍ରଦେଶ ସରକାର ଏହାକୁ ଅଣଦେଖା କରିବାରୁ ଛତିଶଗଡ଼ ବିଭାଜନ ହୋଇଥିଲା। ପଶ୍ଚିମ ଓଡ଼ିଶାର ଦାବିକୁ ଅଣଦେଖା କଲେ ଓଡ଼ିଶା ଦୁଇଭାଗ ହୋଇଯିବ ବୋଲି ନରସିଂହ କହିଛନ୍ତି।

ଅନ୍ୟପକ୍ଷରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଭୂପିନ୍ଦର ସିଂ। ସେ କହିଛନ୍ତି କୋଶଳ ରାଜ୍ୟ ଦାବି କରିବା ସମସ୍ତଙ୍କ ଅଧିକାର। କାହାକୁ ବାରଣ କରାଯାଇପାରିବ ନାହିଁ। କିନ୍ତୁ ଆଜି କରିବାର ମାନେ କଣ ? ବିରୋଧୀ କାହିଁକି ଚାହୁଛନ୍ତି। ସମୟ ଥିଲା ଭାଗ ହେବାର ଦାବି ଉଠୁଥିଲା। ଦରକାର ବି ଥିଲା। କିନ୍ତୁ ଆଜି ଚିତ୍ର ବଦଳିଛି। ଏକବିଂଶ ଶତାବ୍ଦୀରେ ଆର୍ଥିକ ସ୍ଥିତି ଠିକ୍ ନଥିଲା। ଏବେ ଆମ ସରକାରରେ ସମସ୍ତ ବ୍ୟବସ୍ଥା ପଶ୍ଚିମ ଓଡ଼ିଶାକୁ ପ୍ରାଧାନ୍ୟ ଦେଇ ଆସୁଛି। କଳାକାରଙ୍କୁ ନେଇ ଉଠିଥିବା ବିବାଦ ଦିନେ ସମାଧାନ ହୋଇଯିବ। କିନ୍ତୁ ତାକୁ ନେଇ ପୂର୍ବ ପଶ୍ଚିମ ଭାଗ ଭାଗ ଚିନ୍ତା ଠିକ୍ ନୁହେଁ। ତାର ସମାଧାନ ଦିଗରେ ସମସ୍ତେ ଗୁରୁତ୍ଵ ଦେବା ଉଚିତ୍। ନିର୍ବାଚନ ସମୟରେ ଏକଥା ଉଠେ। ଏ ପ୍ରସଙ୍ଗ ନୂଆ ନୁହେଁ। ଲୋକେ ସବୁ ବୁଝିଲେଣି। ଭୋଟରେ କିଛି ଫରକ ପଡ଼ିବନି ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button