ଗୋଆ ପୂର୍ବତନ ମୁଖ୍ୟମନ୍ତ୍ରୀ ଟିଏମସିରେ ମିଶିଲେ

ପାଣାଜୀ : ଆସନ୍ତା ବର୍ଷ ଗୋଆ ବିଧାନସଭା ନିର୍ବାଚନ। ଏହା ପୂର୍ବରୁ କଂଗ୍ରେସ ବିଧାୟକ ତଥା ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ଲୁଇଜିନୋ ଫାଲେଇରୋ ଆଜି ସମର୍ଥକମାନଙ୍କ ସହ ଟିଏମସିରେ ସାମିଲ ହୋଇଛନ୍ତି।

ଖବର ଅନୁଯାୟୀ ଲୁଇଜିନୋ ଫାଲେଇରୋ କିଛିଦିନ ତଳେ କଂଗ୍ରେସର ବିଧାୟକ ପଦରୁ ଇସ୍ତଫା ଦେଇଥିଲେ। ସେତେବେଳେ ଚର୍ଚ୍ଚା ହେଉଥିଲା ସେ ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସିରେ ମିଶିବେ। ଆଜି ତାହା ସତ ହୋଇଛି। ଟିଏମସିର ମହାସଚିବ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ଉପସ୍ଥିତିରେ ସେ ଦଳରେ ଯୋଗଦେଇଛନ୍ତି। ଅଭିଷେକ ତାଙ୍କୁ ଟିଏମସିର ପତାକା ଦେଇ ଦଳକୁ ସ୍ୱାଗତ କରିଛନ୍ତି। ଏହି ମିଶ୍ରଣପର୍ବ ପାଇଁ ସେ ତାଙ୍କ ସମର୍ଥକମାନଙ୍କ ସହ ମଙ୍ଗଳବାର ଠାରୁ କୋଲକାତାରେ ରହିଥିଲେ। ଆଜି ମମତା ତାଙ୍କୁ ଟ୍ୱିଟ କରି ଟିଏମସି ପରିବାରକୁ ସ୍ୱାଗତ ଜଣାଇଛନ୍ତି।

ମମତା କହିଛନ୍ତି ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ୭ଥରର ବିଧାୟକ ଲୁଇଜିନୋ ଫାଲେଇରୋଙ୍କୁ ଟିଏମସିର ପରିବାରକୁ ସ୍ୱାଗତ କରିବା ମୋ ପାଇଁ ଗର୍ବର ବିଷୟ। ଆମେ ଏକାଠି ଗୋଆବାସୀଙ୍କ ସହ ଛିଡ଼ା ହେବା। ବିଭାଜନକାରୀ ଶକ୍ତି ବିରୋଧରେ ଲଢ଼େଇ କରି ଗୋଆକୁ ସଫଳତାର ନୂଆ ଶିଖରରେ ପହଞ୍ଚାଇବା। ସେହିପରି ଲୁଇଜିନୋ କହିଛନ୍ତି ଆଜି ମୁଁ ଦିଦିଙ୍କ ସହ ନୂଆ ଯାତ୍ରା ଆରମ୍ଭ କରୁଛି। କାରଣ ଗୋଆ ଗୋଟିଏ ବିଶ୍ୱସନୀୟ ବିକଳ୍ପ ଚାହୁଁଛି। ମୁଁ ଦିଦିଙ୍କୁ ଅନୁରୋଧ କରୁଛି ସେ ଗୋଆ ଆସି ଏହାର ପରିଚୟ ଓ ଐତିହ୍ୟକୁ ସୁରକ୍ଷା ଦିଅନ୍ତୁ।

ଅନ୍ୟପକ୍ଷରେ ଲୁଇଜିନୋଙ୍କ ଇସ୍ତଫା ପରେ ୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭାରେ କଂଗ୍ରେସ ବିଧାୟକଙ୍କ ସଂଖ୍ୟା ୪କୁ ହ୍ରାସ ପାଇଛି।

Leave a Reply

Your email address will not be published. Required fields are marked *

Back to top button