ପଶ୍ଚିମବଙ୍ଗ ଉପନିର୍ବାଚନ : ମମତାଙ୍କ ବିପକ୍ଷରେ ପ୍ରିୟଙ୍କା ବିଜେପି ପ୍ରାର୍ଥୀ

କୋଲ୍କାତା : ଚାଳିତମାସ ୩୦ ତାରିଖରେ ହେବାକୁ ଥିବା ଭବାନୀପୁର ବିଧାନସଭା ଉପନିର୍ବାଚନର ମମତା ବାନାର୍ଜୀଙ୍କ ବିପକ୍ଷରେ ଓକିଲ ପ୍ରିୟଙ୍କା ଟିବ୍ରେୱାଲ୍ଙ୍କୁ ବିଜେପି ପ୍ରାର୍ଥି କରିଛି।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ୍ ସୁପ୍ରିୟୋଙ୍କର ଆଇନଗତ ପରାମର୍ଶଦାତ୍ରୀ ପ୍ରିୟଙ୍କା ଗତ ଏପ୍ରିଲ୍-ମେ’ରେ ଅନୁଷ୍ଠିତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ପ୍ରାର୍ଥୀଙ୍କ ଠାରୁ ପରାସ୍ତ ହୋଇଥିଲେ। ବାବୁଲ୍ ସୁପ୍ରିୟୋଙ୍କ ଅନୁରୋଧକ୍ରମେ ୨୦୧୪ରେ ସେ ବିଜେପିରେ ଯୋଗ ଦେଇଥିଲେ।
ସୂଚନାଯୋଗ୍ୟ ଗତ ନିର୍ବାଚନରେ ତୃଣମୂଳ କଂଗ୍ରେସ ବ୍ୟାପକ ସଂଖ୍ୟଗରିଷ୍ଠତା ହାସଲ କରିବା ପରେ ତୃତୀୟ ଥର ପାଇଁ ମମତା ବାନାର୍ଜୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। କିନ୍ତୁ ନିର୍ବାଚନରେ ସେ ନନ୍ଦିଗ୍ରାମ ଆସନରୁ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ପରାସ୍ତ ହୋଇଥିଲେ। ତେଣୁ ମୁଖ୍ୟମନ୍ତ୍ରୀ ପଦବୀ ବଜାୟ ରଖିବାକୁ ହେଲେ ତାଙ୍କୁ ଭବାନୀପୁର ଆସନ ଉପନିର୍ବାଚନରେ ଜିତିବାକୁ ପଡ଼ିବ।