ପିପିଲି ଉପ ନିର୍ବାଚନ : ପ୍ରଚାର ଶେଷ, ଗୁରୁବାର ଭୋଟ୍‌

ଭୁବନେଶ୍ୱର : ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଆସନ୍ତା ଗୁରୁବାର (୩୦ତାରିଖ) ଦିନ ଭୋଟ୍ ଗ୍ରହଣ ହେବ। କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ଗୋଟିଏ ଦିନ ପୂର୍ବରୁ ନିର୍ବାଚନ ପ୍ରଚାର କାର୍ଯ୍ୟକୁ ବନ୍ଦ କରିଛନ୍ତି। ମୋଟ ୩୪୮ଟି ବୁଥରେ ୨ଲକ୍ଷ ୨୯ହଜାର ୯୯୮ଜଣ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ।

ଖବର ଅନୁଯାୟୀ ପିପିଲି ଉପନିର୍ବାଚନରେ ଏଥର ୧୦ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ହେଲେ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ମଧ୍ୟରେ ବିଜେଡିରୁ ରୁଦ୍ରପ୍ରତାପ ମହାରଥୀ ଓ ବିଜେପିର ଆଶ୍ରିତ ପଟ୍ଟନାୟକଓ କଂଗ୍ରେସରୁ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ରହିଛନ୍ତି। କିନ୍ତୁ ବିଜେଡି-ବିଜେପି ମଧ୍ୟରେ କଡା ଟକ୍କର ହେବ ବୋଲି କୁହାଯାଉଛି। ତେବେ ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ସମସ୍ତ ପ୍ରକାରର ଏକଜିଟ୍ ପୋଲ ଉପରେ ଲାଗିଛି କଟକଣା। କୌଣସି ସମ୍ବାଦପତ୍ର, ଗଣମାଧ୍ୟମ, ନ୍ୟୁଜବ୍ୟୁରୋ, ରେଡିଓ ଓ ଟିଭି ଚ୍ୟାନେଲ ଭୋଟ ଫଳାଫଳର ପୂର୍ବାନୁମାନ ପ୍ରକାଶ କିମ୍ବା ପ୍ରସାରଣ କରିପାରିବେ ବୋଲି ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।

ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟର ସୂଚନା ହେଲା ପିପିଲି ଉପନିର୍ବାଚନ ପାଇଁ ମୋଟ ୩୪୮ ବୁଥରେ ଭୋଟଗ୍ରହଣ କରାଯିବ। ଏମଧ୍ୟରୁ ପ୍ରାୟ ୧୦୨ଟି ବୁଥକୁ ଅତିସମ୍ବେଦନଶୀଳ ଘୋଷଣା କରାଯାଇ ସେଠାରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। କୋଭିଡ୍ ଗାଇଡଲାଇନକୁ ପାଳନ କରି ଭୋଟଗ୍ରହଣ କରାଯିବ। ସାନିଟାଇଜର, ଥର୍ମାଲ ସ୍କାନିଂ ଆଦି ବ୍ୟବସ୍ଥା ପ୍ରତ୍ୟେକ ବୁଥରେ କରାଯିବ। ଏଥିପାଇଁ ମୋଟ ୧୭୪୦ଜଣ ପୁଲିଂ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବାବେଳେ ୩୪୦ଜଣଙ୍କୁ ରିଜର୍ଭ ରଖାଯାଇଛି। ମୋଟ ୨.୨୯ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ହେବ। ଗୁରୁବାର ଭୋଟ ଗ୍ରହଣ ହେବାକୁ ଥିବାରୁ ପିପିଲିରେ ଡେରା ପକାଇଥିବା ନିର୍ବାଚନମଣ୍ଡଳୀ ବାହାରର ନେତାମାନଙ୍କୁ ସ୍ଥାନ ଛାଡ଼ିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *

Back to top button