ଆଇନ ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ରପତିଙ୍କ ପରାମର୍ଶ : ବଞ୍ଚିତ ଓ ପଛୁଆ ବର୍ଗଙ୍କ ସେବାରେ କିଛି ବୃତ୍ତିଗତ ସମୟ ବିନିଯୋଗ କର

କଟକ : ଆଇନ ଛାତ୍ରଛାତ୍ରୀମାନେ ବଞ୍ଚିତ ଓ ପଛୁଆ ବର୍ଗଙ୍କ ସେବାରେ କିଛି ବୃତ୍ତିଗତ ସମୟ ବିନିଯୋଗ କରିବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପରାମର୍ଶ ଦେଇଛନ୍ତି।

କଟକସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଇନ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ସେ କହିଲେ ଯୋଗ୍ୟ ଆଇନଜୀବୀମାନେ ଭାରତୀୟ ସ୍ୱାଧୀନତା ସଂଗ୍ରାମର ନେତୃତ୍ୱ ନେଇଥିଲେ। ସେହି ପିଢ଼ିର ବହୁସଂଖ୍ୟକ ଆଇନଜୀବୀଙ୍କ ପାଖରେ ଦେଶ ପାଇଁ ବଳିଦାନର ଭାବନା ରହିଥିଲା। ମଧୁ-ବାରିଷ୍ଟର ନାମରେ ଖ୍ୟାତ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସ୍ମୃତିଚାରଣ କରି ରାଷ୍ଟ୍ରପତି କହିଲେ ତାଙ୍କର ଜୟନ୍ତୀକୁ ଓଡ଼ିଶାରେ ଆଇନ ଦିବସ ଭାବେ ପାଳନ କରାଯାଉଛି। ଓଡ଼ିଶାବାସୀଙ୍କ ପାଇଁ ମହାତ୍ମା ଗାନ୍ଧୀ ଓ ମଧୁ ବାରିଷ୍ଟର ଭାରତୀୟ ସ୍ୱାଧୀନତା ସଂଗ୍ରାମର ସବୁଠୁ ସମ୍ମାନନୀୟ ବ୍ୟକ୍ତିତ୍ୱ। ସେମାନଙ୍କ ଭଳି ମହାନ ସ୍ୱାଧୀନତା ସଂଗ୍ରାମୀ ଓ ଆଇନଜୀବୀମାନେ ଏକ ପ୍ରଗତିଶୀଳ ଓ ପରସ୍ପର ସହ ଯୋଡ଼ି ହୋଇଥିବା ସମାଜ ଗଠନ ପାଇଁ ନ୍ୟାୟ, ସ୍ୱାଧୀନତା, ସମାନତା ଏବଂ ଭ୍ରାତୃତ୍ୱର ଆଦର୍ଶକୁ ବଜାୟ ରଖିଥିଲେ। ରାଷ୍ଟ୍ରପତି ଛାତ୍ରଛାତ୍ରୀଙ୍କୁ ସାମ୍ବିଧାନିକ ଆଦର୍ଶ ପାଳନରେ ଦୃଢ଼ ରହିବା ପାଇଁ ପରାମର୍ଶ ଦେଇଥିଲେ।

ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଓଡ଼ିଶାର ଆଦର୍ଶ ବାକ୍ୟ ସତ୍ୟେ ସ୍ଥିତୋ ଧର୍ମଃ ବିଷୟରେ ଉଲ୍ଲେଖ କରି ରାଷ୍ଟ୍ରପତି କହିଥିଲେ ଏହାର ଅର୍ଥ ହେଉଛି ଧର୍ମ ଦୃଢ଼ତାର ସହିତ ସତ୍ୟରେ ନିହୀତ ରହିଛି। ପ୍ରାଚୀନ ଭାରତରେ ନ୍ୟାୟାଳୟକୁ ପରିଭାଷିତ କରିବା ଲାଗି ମୁଖ୍ୟତଃ ବ୍ୟବହାର କରାଯାଉଥିବା ଦୁଇଟି ଶବ୍ଦ ହେଲା-ଧର୍ମସଭା ଓ ଧର୍ମାଧିକରଣ। ଆଜିର ଆଧୁନିକ ଭାରତରେ, ଆମର ଧର୍ମ ଭାରତର ସମ୍ବିଧାନରେ ରହିଛି ଯାହାକି ଏ ଭୂଖଣ୍ଡର ସର୍ବୋଚ୍ଚ ଆଇନ। ସମ୍ପୂର୍ଣ୍ଣ ଆଇନ ଜଗତ ବିଶେଷ କରି ଆଜି ଏଠାରୁ ଉତ୍ତୀର୍ଣ୍ଣ ହେଉଥିବା ଯୁବ ଛାତ୍ରଛାତ୍ରୀ ସମ୍ବିଧାନକୁ ସେମାନଙ୍କର ପବିତ୍ର ଗ୍ରନ୍ଥ ଭାବେ ମାନିବା ଉଚିତ୍‌ ବୋଲି ରାଷ୍ଟ୍ରପତି କହିଥିଲେ।

Leave a Reply

Your email address will not be published. Required fields are marked *

Back to top button