ପୁରୀବାସୀ ପଶ୍ଚିମ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ

ପୁରୀ : ଶ୍ରୀମନ୍ଦିର ଚାରିଦ୍ୱାର ଦେଇ ଭକ୍ତଙ୍କ ପ୍ରବେଶ ଦାବି ଉଠିଥିଲା। ହେଲେ ପ୍ରଶାସନ ପୁରୀବାସୀଙ୍କ ପାଇଁ ସୋମବାର ଠାରୁ ପଶ୍ଚିମ ଦ୍ୱାର ଦେଇ ଶ୍ରୀମନ୍ଦିର ପ୍ରବେଶକୁ ଅନୁମତି ଦେଇଛନ୍ତି। କିନ୍ତୁ ଏଥିପାଇଁ ପରିଚୟପତ୍ର ବାଧ୍ୟତାମୂଳକ କରାଯାଇଛି। ଆଉ ସ୍ପଷ୍ଟ କରାଯାଇଛି ବିନା ପରିଚୟପତ୍ରରେ ଭକ୍ତମାନେ ପଶ୍ଚିମ ଦ୍ଵାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ ନାହିଁ। ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ଗଣମାଧ୍ୟମକୁ ଏହି ସୂଚନା ନେଇଛନ୍ତି।
ଖବର ଅନୁଯାୟୀ ଶ୍ରୀମନ୍ଦିର ଚାରିଦ୍ଵାର ଦର୍ଶନ ବନ୍ଦ ଯୋଗୁ ଭକ୍ତମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିନ୍ତୁ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ଏହାକୁ ଗୁରୁତ୍ଵ ଦେଉନି। ଏହାକୁ ନେଇ ବିଭିନ୍ନ ମହଲରୁ ପ୍ରଶ୍ନ ଉଠିଛି। ଏହାଛଡା ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଭକ୍ତଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଚାରିଦ୍ଵାର ଖୋଲିବାକୁ ଦାବି କରିଥିଲେ। ଏ ସମ୍ପର୍କିତ ଦାବିପତ୍ର ଶ୍ରୀ ପଟ୍ଟନାୟକ ଗଜପତି ମହାରାଜା ଦିବ୍ୟସିଂହ ଦେବ, ମୁଖ୍ୟ ଶାସନ ସଚିବ ତଥା ଶ୍ରୀମନ୍ଦିର ପରିଚାଳନା କମିଟି କାର୍ଯ୍ୟକାରୀ ଅଧ୍ୟକ୍ଷ ପ୍ରଦୀପ ଜେନା, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ ଓ ସମସ୍ତ ପରିଚାଳନା କମିଟି ସଦସ୍ୟଙ୍କୁ ପ୍ରଦାନ କରିଥିଲେ। ସୁଦର୍ଶନ ଦାବି କରିଥିଲେ ସ୍ଥାନୀୟ ଲୋକଙ୍କ ପାଇଁ ତୁରନ୍ତ ଗୋଟିଏ ଦ୍ୱାର ଖୋଲାଯାଉ। ଯଦି ଗୋଟିଏ ଦ୍ୱାର ନ ଖୋଲାଯାଏ ତେବେ ଜୁଲାଇ ୨୪ ଠାରୁ ପଶ୍ଚିମ ଦ୍ଵାର ଆଗରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଥିଲେ।