ବିବାହର ୩ ମାସ ନପୂରୁଣୁ ଲିଭିଗଲା ମଥାର ସିନ୍ଦୁର

ଭୁବନେଶ୍ଵର : ବିବାହର ତ୍ରୟମାସିକ ଆନିଭର୍ସରି ପାଳନ ହୋଇପାରିଲାନି। ପୂର୍ବ ରାତିର ଦୁର୍ଘଟଣା ସବୁକିଛି କରିଦେଲା ଓଲଟ ପାଲଟ। ଚାଲିଗଲା ଡାକ୍ତର ମନୋଜ କୁମାରଙ୍କ ଜୀବନ। ଆଉ ଲିଭିଗଲା ଡାକ୍ତର ପତ୍ନୀ ସୁଶ୍ରୀ ସଙ୍ଗୀତାଙ୍କ ମଥାର ସିନ୍ଦୁର। ଏହି ଦୁଃଖଦ ଘଟଣାରେ ଉଭୟ ପରିବାରରେ ଶୋକର ଛାୟା ଖେଳାଇ ଦେଇଛି।

ଖବର ଅନୁୟାଯୀ ଡାକ୍ତର ମନୋଜ କୁମାର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ କ୍ୟାନସର ପ୍ରଫେସର ଥିଲେ। ଗତ ଫେବ୍ରୁଆରୀ ୨୮ରେ ମନୋଜଙ୍କର କଟକ ଏସ୍‌ସିବି ମେଡିକାଲର ଡାକ୍ତରାଣୀ ସୁଶ୍ରୀ ସଙ୍ଗୀତାଙ୍କ ସହିତ ବିବାହ ହୋଇଥିଲା। ଆଜି ବିବାହକୁ ୩ ମାସ ପୁରିଛି। ସେଥିପାଇଁ ଡାକ୍ତର ଦମ୍ପତ୍ତି ସେଲିବ୍ରେସନର ଯୋଜନା କରିଥିଲେ। କଟକରେ ରହୁଥିବା ପତ୍ନୀଙ୍କ କ୍ୱାର୍ଟର୍ସରେ ହୋଇଥିଲା ପ୍ରସ୍ତୁତି। ପତ୍ନୀଙ୍କୁ ଆଗୁଆ ସରପ୍ରାଇଜ୍ ଦେବାକୁ ପ୍ଲାନ୍ କରି ମନୋଜ ରାତି ପ୍ରାୟ ସାଢ଼େ ୧୨ଟା ବେଳେ ବାଇକରେ କଟକ ଯାଉଥିଲେ। ଭୁବନେଶ୍ଵର ଫାୟାର ଷ୍ଟେସନ ଛକ ପୂର୍ବରୁ ଅର୍ଥାତ ସିଆରପିଏଫ୍ କ୍ୟାମ୍ପସ ଦୁଇ ନମ୍ବର ଗେଟ୍ ସମ୍ମୁଖରେ ଦୁର୍ଘଟଣା ଘଟିଲା। ସ୍ଥାନୀୟ ଲୋକେ ତାଙ୍କୁ ମେଡିକାଲ ନେଇଥିଲେ। ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ଏବେ ଦୁର୍ଘଟଣାର କାରଣ ନେଇ ପୋଲିସ ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *

Back to top button