ସ୍ୱାମୀଙ୍କୁ ଛାଡପତ୍ର ଦେବାପରେ କ୍ୟାରିୟରକୁ ନେଇ ସିରିୟସ ଶୁଭାଙ୍ଗୀ

ମୁମ୍ବାଇ : ଲୋକପ୍ରିୟ ଟିଭି ଧାରାବାହିକ ‘ଭାବିଜୀ ଘରପେ ହୈ’। ଏଥିରେ ଅଙ୍ଗୁରି ଭାଉଜ ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ଶୁଭାଙ୍ଗୀ ଆତ୍ରେଙ୍କ ୧୯ ବର୍ଷର ଦାମ୍ପତ୍ୟ ଜୀବନରେ ପୂର୍ଣ୍ଣଛେଦ ପଡିଛି। କିଛିଦିନ ତଳେ ସ୍ୱାମୀ ପୀୟୁଷ ପୁରେଙ୍କୁ ଛାଡପତ୍ର ଦେଇ ଅଲଗା ହୋଇଛନ୍ତି। ଏବେ କାମକୁ ନେଇ ସେ ସିରିୟସ ଥିବାବେଳେ କ୍ୟାରିୟର ଉପରେ ଧ୍ୟାନ ଦେଉଛନ୍ତି।
ଖବର ଅନୁଯାୟୀ ଶୁଭାଙ୍ଗୀ କହିଛନ୍ତି ମୁଁ ଭାଉଜ ଚରିତ୍ରରେ ଅଭିନୟ କରିବାର ଆଠ ବର୍ଷ ବିତିଗଲାଣି। ବର୍ତ୍ତମାନ ମୁଁ ସମସ୍ତଙ୍କ ପାଇଁ ଭାଉଜ ହୋଇସାରିଛି। ଯେତେବେଳେ ଶିଳ୍ପା ସିଂଦେଙ୍କ ବଦଳରେ ମୋତେ ଏହି ଅଭିନୟ କରିବାକୁ କୁହାଗଲା ସେତେବେଳେ ମୋ ମା’ଙ୍କ ଓ ଅନେକ ଲୋକ ଭାବିଥିଲେ ମୁଁ ଭାଉଜ ଚରିତ୍ରରେ ଅଭିନୟ କରିପାରିବି ନାହିଁ। କେବଳ ମୁଁ ଜାଣିଥିଲି ଏହି ଅଭିନୟ କରିବାକୁ ସମର୍ଥ। କାରଣ ବାସ୍ତବ ଜୀବନରେ ମୋର ମଧ୍ୟ ଏହି ଚରିତ୍ର ଭଳି ପିଲାଳିଆମୀ ଅଛି।
ସୂଚନାଯୋଗ୍ୟ ୨୦୦୩ରେ ଇନ୍ଦୋରରେ ପୀୟୁଷଙ୍କୁ ବିବାହ କରିଥିଲେ ଶୁଭାଙ୍ଗୀ। ବିବାହର ଦୁଇବର୍ଷ ପରେ ଶୁଭାଙ୍ଗୀ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। କିନ୍ତୁ କୁହାଯାଉଛି କୌଣସି କାରଣକୁ ନେଇ ଶୁଭାଙ୍ଗୀ ଓ ପୀୟୁଷଙ୍କ ମଧ୍ୟରେ ଝଗଡ଼ା ହେବାରୁ ସେ ଝିଅଙ୍କୁ ନେଇ ଅଲଗା ରହୁଥିଲେ। ଦୁହିଁଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର ସମାଧାନ ହୋଇ ନପାରିବାରୁ ପରସ୍ପରଠାରୁ ଅଲଗା ହୋଇଯିବାକୁ ସେମାନେ ସ୍ଥିର କରିଥିଲେ।