କୁକୁର କାମୁଡ଼ିଲେ ଦାନ୍ତ ଚିହ୍ନ ପିଛା କ୍ଷତିପୂରଣ ୧୦ହଜାର

ଚଣ୍ଡିଗଡ଼ : ବୁଲା କୁକୁର କାମୁଡ଼ାର ଶିକାର ହେଉଥିବା ଲୋକଙ୍କୁ ଦାନ୍ତ ଚିହ୍ନ ପିଛା ୧୦ହଜାର ଟଙ୍କା କ୍ଷତିପୂରଣ ମିଳିବ। ପଞ୍ଜାବ-ହରିୟାଣା ହାଇକୋର୍ଟ ଏହି ରାୟ ଶୁଣାଇଛନ୍ତି।

ଖବର ଅନୁଯାୟୀ କୁକୁର କାମୁଡ଼ା ସମ୍ପର୍କିତ ଏକ ଆବେଦନର ଶୁଣାଣି କରି ଖଣ୍ଡପୀଠ କହିଛନ୍ତି ବୁଲା କୁକୁର କାମୁଡ଼ିଲେ ପୀଡିତଙ୍କୁ ଦାନ୍ତ ଚିହ୍ନ ପିଛା ୧୦,୦୦୦ଟଙ୍କା କ୍ଷତିପୂରଣ ଦିଆଯାଉ। ଏହାଛଡା ଯଦି କୁକୁର କାମୁଡ଼ିବା ଦ୍ଵାରା ଚର୍ମରେ କ୍ଷତ ସୃଷ୍ଟି ହୋଇଥାଏ କିମ୍ବା ମାଂସ ବାହାରି ଯାଏ ତେବେ ପ୍ରତି ୦.୨ ସେମି କ୍ଷତ ପାଇଁ ସର୍ବନିମ୍ନ ୨୦,୦୦୦ ଟଙ୍କାର କ୍ଷତିପୂରଣ ଦିଆଯାଉ।

ପଞ୍ଜାବ ଓ ହରିୟାଣା ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇ ୧୯୩ଟି ପିଟିସନର ସମାଧାନ କରିଛନ୍ତି। ହାଇକୋର୍ଟ କହିଛନ୍ତି କ୍ଷତିପୂରଣ ଦେବା ମୁଖ୍ୟତଃ ରାଜ୍ୟର ଦାୟିତ୍ଵ ହେବ। ଯଦି ରାଜ୍ୟ ସରକାର ଚାହିଁବେ ତେବେ କୁକୁର ସହ ଜଡ଼ିତ ଥିବା ବ୍ୟକ୍ତି, ଏଜେନ୍ସି କିମ୍ବା ବିଭାଗରୁ କ୍ଷତିପୂରଣ ରାଶି ଆଣିପାରିବେ। ବୁଲା କୁକୁର ବା ଅନ୍ୟ ଜଙ୍ଗଲୀ ପଶୁ ରାସ୍ତାକୁ ଆସିଯାଉଥିବାରୁ ଅନେକ ଦୁର୍ଘଟଣା ଘଟୁଛି। ଏହାକୁ ରୋକିବା ପାଇଁ ସରକାର ପଦକ୍ଷେପ ନିଅନ୍ତୁ ବୋଲି କୋର୍ଟ କହିଛନ୍ତି।

ସେହିପରି ବୁଲା ପଶୁଙ୍କ ପାଇଁ କୌଣସି ଦୁର୍ଘଟଣା ସମ୍ପର୍କରେ ଅଭିଯୋଗ ପାଇବା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍। ଏଥିପାଇଁ ରାଜ୍ୟ ସରକାର ମାର୍ଗଦର୍ଶିକା ପ୍ରସ୍ତୁତ କରିବା ଦରକାର ବୋଲି କୋର୍ଟ କହିଛନ୍ତି। କୁକୁର କାମୁଡ଼ିବା ମାମଲାରେ ଷ୍ଟେସନ ହାଉସ ଅଫିସର ବିଳମ୍ବ ନକରି ଡିଡିଆର (ଦୈନିକ ଡାଏରୀ ରିପୋର୍ଟ) ଦାଖଲ କରିବା ଉଚିତ। କ୍ଷତିପୂରଣ ଦେବା ପୂର୍ବରୁ ପୋଲିସ ମାମଲାର ଯାଞ୍ଚ ପୋଲିସ କରିବା ଆବଶ୍ୟକ।

Leave a Reply

Your email address will not be published. Required fields are marked *

Back to top button