ତାଲିବାନର ନୂଆ ନିୟମ : ଦାଢି କାଟିଲେ ଦଣ୍ଡ

କାବୁଲ : ଆଫଗାନକୁ ଦଖଲ କରି ସରକାର ଗଠନ କରିଥିବା ତାଲିବାନ ଯାହା କହିଥିଲା ଏବେ ତା’ର ଓଲଟା କରୁଛି। ଇସଲାମକୁ ଆଳକରି ୨୦ ବର୍ଷ ପୁରୁଣା ନୀତିନିୟମ ଲାଗୁ କରିବା ଆରମ୍ଭ କରିଛି। ଏବେ ପୁରୁଷଙ୍କ ପାଇଁ ହୋଇଛି ନୂଆ ନିୟମ। ଫଳରେ ଆଫଗାନ ନାଗରିକଙ୍କୁ ଦାଢି କାଟିବାକୁ ଅନୁମତି ମିଳିବ ନାହିଁ। ଏହି ନିୟମ ଉଲ୍ଲଘଂନକାରୀଙ୍କୁ ଶରିଆ ନିୟମ ଅନୁଯାୟୀ କଠୋର ଦଣ୍ଡ ଦିଆଯିବ।

ଖବର ଅନୁଯାୟୀ ବନ୍ଧୁକ ମୁନରେ ଆଫଗାନିସ୍ତାନ କବ୍ଜା କରିବାପରେ ତାଲିବାନ ପ୍ରଥମେ ମହିଳାଙ୍କୁ ଟାର୍ଗେଟ କରିଥିଲା। ଏବେ ଶିଶୁ ଓ ପୁରୁଷମାନଙ୍କ ସ୍ୱାଧୀନତା ଉପରେ କଟକଣା ଲାଗୁ କରିଛି।ତାଲିବାନ ଘୋଷଣା କରୁଥିବା ନୂଆ ନିୟମ ନ ମାନିଲେ ମୃତ୍ୟୁଦଣ୍ଡ। ଏପରିକି ମହିଳାଙ୍କୁ ସର୍ବସମ୍ମୁଖରେ ବିଚ୍‌ ରାସ୍ତାରେ ପ୍ରହାର କରାଯାଉଥିବା ବେଳେ ନିୟମ ଉଲ୍ଲଘଂନକାରୀଙ୍କୁ ସର୍ବସମ୍ମୁଖରେ ଝୁଲାଇ ଫାଶୀ ଦଣ୍ଡ ଦିଆଯାଉଛି।

କେବଳ ସେତିକି ନୁହେଁ ତାଲିବାନ ପକ୍ଷରୁ ହଜାରା ସମୁଦାୟ ଲୋକଙ୍କ ଉପରେ ବଳ ପ୍ରୟୋଗ କରାଯାଉ ସେମାନଙ୍କ ଜମିକୁ ଜୋରଜବରଦସ୍ତି ଛଡ଼ାଇ ନିଆଯାଉଛି। ସେମାନଙ୍କୁ ଭୂମିହୀନ କରାଯିବା ସହ ଘରୁ ବାହାର କରି ଦିଆଯାଉଥିବା ବେଳେ ଫସଲକୁ ତାଲିବାନୀ ଲୁଟି ନେଉଛନ୍ତି। କିଛିଦିନ ପୂର୍ବରୁ ଆଫଗାନିସ୍ତାନରେ ମିଡିଆ ସ୍ୱାଧୀନତାକୁ ସଙ୍କୁଚିତ କରିବା ପାଇଁ ତାଲିବାନ ପକ୍ଷରୁ ନୂଆ ନିୟମ ଜାରି କରାଯାଇଛି। ଯାହାଫଳରେ ଇସଲାମର ବିଚାରଧାରା ବାହାରେ ଏବଂ ଦେଶର ନେତୃବୃନ୍ଦଙ୍କୁ ଅପମାନିତ କରିବା ଭଳି ବିଷୟ ମିଡିଆ ସଂସ୍ଥା ପ୍ରସାରଣ କିମ୍ବା ପ୍ରକାଶ କରିପାରିବେ ନାହିଁ। ଏହାଛଡା ସାମ୍ବାଦିକମାନଙ୍କୁ ତାଲିବାନ ପକ୍ଷରୁ ସରକାରୀ ମିଡିଆ ଅଫିସ ସହ ଯୋଗାଯୋଗ କରି ଖବର ଓ ଫିଚର ଷ୍ଟୋରୀ ପ୍ରକାଶ କରିବାକୁ ପରାମର୍ଶ ଦିଆଯାଇଛି। ସରକାରର ବିନା ଅନୁମତିରେ କୌଣସି ଖବର ପ୍ରକାଶ କରାଯିବନି ବୋଲି ନୂଆ ନିୟମରେ କୁହାଯାଇଛି।

Leave a Reply

Your email address will not be published. Required fields are marked *

Back to top button