ଟମାଟୋ କିଲୋ ଶହେ ଟପିଲା

ଭୁବନେଶ୍ଵର : ରାଜ୍ୟରେ ଟମାଟୋର ଦର ଶହେ ଟପିଲା। ଆଜି ସକାଳେ ଛତ୍ର ବଜାରରେ ଟମାଟୋ କିଲୋ ପିଛା ୯୦ରୁ ୧୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ବ୍ରହ୍ମପୁର ଓ ବାଲେଶ୍ଵରରେ ମୂଲ୍ୟ ହୋଇଛି ୧୦୦ରୁ ୧୨୦ ଟଙ୍କା। ରାଜଧାନୀର ଏକ ନମ୍ବର ହାଟରେ ଏହାର ଦାମ ୮୦ ଟଙ୍କା ରହିଛି।
ବ୍ୟବସାୟୀ କହୁଛନ୍ତି ଗ୍ରୀଷ୍ମ ପ୍ରବାହ ଓ ବିଳମ୍ବ ବର୍ଷା ଭଳି କାରଣରୁ ଟମାଟୋ ଉତ୍ପାଦନ କମିଛି। ଗତ ମାସରେ ଚାଷୀମାନେ ଟମାଟୋ କିଲୋ ପିଛା ୩ରୁ ୫ ଟଙ୍କା ଦରରେ ବିକିଥିଲେ। ଉତ୍ପାଦିତ ଫସଲର ଦାମ୍ କମ୍ ରହୁଥିବାରୁ ଚାଷୀମାନେ ଟମାଟୋ ଫସଲ ପ୍ରତି ବିମୁଖ ହୋଇଥିଲେ। ଏହାମଧ୍ୟ ବର୍ତ୍ତମାନ ସୃଷ୍ଟି ହୋଇଥିବା ସ୍ଥିତିର ଅନ୍ୟତମ କାରଣ। ଏବେ ବ୍ୟବସାୟୀମାନେ ବେଙ୍ଗାଲୁରୁ ଉପରେ ଟମାଟୋ ନିର୍ଭରଶୀଳ। ତେଣୁ ଏଭଳି ସ୍ଥିତି ଆହୁରି ୧୫ ଦିନ ଲାଗି ରହିବ ବୋଲି ବ୍ୟବସାୟୀ କହିଛନ୍ତି।