ଡିଜେ ଶବ୍ଦ ପାଇଁ ୨ଘଣ୍ଟା ଗଣଦୁଷ୍କର୍ମର ଶିକାର ହେଲେ ମହିଳା ଆଙ୍କର

ପାଟନା: ବିହାର ରାଜଧାନୀ ପାଟ୍ନାରେ ଏକ ହୋଟେଲ୍ରେ ଗଣଦୁଷ୍କର୍ମର ଶିକାର ହେଲେ ମହିଳା ଆଙ୍କର। ଗାନ୍ଧୀ ମୈଦାନ ଥାନା ଅଧିନସ୍ଥ ନାମୀ-ଗିରାମୀ ହୋଟେଲ ରୁମ୍ ନମ୍ବର ୫୧୨ରେ କୋଲକାତାର ଜଣେ ମହିଳା ଆଙ୍କରଙ୍କୁ ଦୁଇଘଣ୍ଟା ଧରି ଦୁଷ୍କର୍ମ କରିଛନ୍ତି ଦୁର୍ବୃତ୍ତ। ରାକ୍ଷସଙ୍କ କବଳରୁ ରକ୍ଷା ପାଇବା ପାଇଁ ମହିଳା ଆଙ୍କର ଜଣକ ଚିକ୍ତାର ବି କରୁଥିଲେ।
ହେଲେ ଏପଟେ ହୋଟେଲ୍ରେ ହେଉଥିବା ୩ଟି ବାହାଘରର ମାଙ୍ଗଳିକ ବାଦ୍ୟରେ ମହିଳା ଆଙ୍କର ଚିତ୍କାର କାହାକୁ ଶୁଣାଯାଇନଥିଲା। ଦୁଷ୍କର୍ମକାରୀମାନେ ମଧ୍ୟ ଜାଣି ଜାଣି ନିଜ ମୋବାଇଲ୍ରେ ଅଧିକ ସାଉଣ୍ଡ ଦେଇ ଗୀତ ବଜାଇଥିଲେ। ଏତେସବୁ ଶବ୍ଦ ଭିତରେ ମହିଳାଙ୍କ ଚିତ୍କାର ହଜି ଯାଇଥିଲା। ଦୁଷ୍କର୍ମ ପରେ ଅଭିଯୁକ୍ତମାନେ ଘଟଣା ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରିଦେବୁ ବୋଲି ଧମକ ଦେଇଥିବା ପୀଡ଼ିତା ଅଭିଯୋଗ କରିଛନ୍ତି।
ଦୁଷ୍କର୍ମ ପରେ ପୀଡ଼ିତାଙ୍କୁ ଡରେଇ ଧମକାଇ ହୋଟେଲ୍ରୁ କାର୍ରେ ବସାଇ ସିଧା ପାଟନା ଜଙ୍କଶନକୁ ଆଣିଥିଲେ। ସେଠାରେ ଟ୍ରେନ୍ରେ ବସାଇ ଦେଇ ଦୁଇ ଅଭିଯୁକ୍ତ ସେଠାରୁ ଚାଲିଯାଇଥିଲେ। ଗଣଦୁଷ୍କର୍ମର ଶିକାର ହୋଇଥିବା ମହିଳା ଆଙ୍କର ଜଣକ ଏହି ବୟାନ ଦେଇଛନ୍ତି। ପୀଡ଼ିତା ଆହୁରି ମଧ୍ୟ କହିଛନ୍ତି ଯେ ଅଭିଯୁକ୍ତମାନେ କେସ୍ ଉଠାଇ ନେବାକୁ ଦମକ ଦେଉଛନ୍ତି। ହର୍ଷର ସ୍ତ୍ରୀ ବି ଫୋନ୍ କରି ତାଙ୍କୁ ଧମକ ଦେଇଥିବା ପୀଡ଼ିତା କହିବା ସହିତ କୋଲକାତାରେ ବି ତାଙ୍କ ଜୀବନକୁ ବିପଦ ଅଛି ବୋଲି ସେ ପୁଲିସକୁ ଜଣାଇଛନ୍ତି। ଏଭଳି ଘଟଣା ପରେ ପୀଡ଼ିତା ଜାଧବପୁର ଥାନାରେ ମାମଲା ମଧ୍ୟ ରୁଜ୍ଜୁ କରିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି।
ଗଣଦୁଷ୍କର୍ମର ଶିକାର ହୋଇଥିବା ପୀଡ଼ିତା ଆଙ୍କରଙ୍କ ଅଭିଯୋଗ ଅନୁସାରେ, ପାଟନାରେ ରହି ଏଣ୍ଟରଟେନ୍ମେଣ୍ଟ କମ୍ପାନୀ ଚଳାଉଥିବା ମୁଜାଫରପୁରର ହର୍ଷ ଓ ବିକ୍ରାନ୍ତ କେଜରିୱାଲ ତାଙ୍କ ସହିତ ଏଭଳି ପାଶବିକ ଅତ୍ୟାଚାର କରିଛନ୍ତି। ହୋଟେଲ୍ରେ ଏକ ଇଭେଣ୍ଟ କରିବା ପାଇଁ ଆଙ୍କରଙ୍କ ସହିତ ହର୍ଷର ୪୦ ହଜାର ଟଙ୍କାର ଡିଲ୍ ହୋଇଥିଲା। ତେବେ ଏଥିପାଇଁ କୌଣସି ଆଡ୍ଭାନ୍ସ ମିଳିନଥିଲା। କେବଳ କୋଲକାତାରୁ ପଟନା ଆସିବାକୁ ହର୍ଷ ଗୁଗଲ ପେ ରେ ଆଙ୍କରଙ୍କୁ ଦୁଇ ହଜାର ଟଙ୍କା ଦେଇଥିଲା ବୋଲି ପୀଡ଼ିତା କହିଥିଲେ।
ପୀଡ଼ିତାଙ୍କ ବୟାନ ଅନୁସାରେ, ଜୁଲାଇ ୨ ଓ ୩ ତାରିଖ ମଧ୍ୟ ରାତି ୧ଟାରେ ପେମେଣ୍ଟ ଦେବା ବାହାନାରେ ହର୍ଷ ମହିଳାଙ୍କୁ ହୋଟେଲ୍ ରୁମ ଖୋଲିବାକୁ କହିଥିଲା। ହର୍ଷ ପଛରେ ବିକ୍ରାନ୍ତ ମଧ୍ୟ ରମୁ ଭିତରକୁ ପଶି ଆସିଥିଲା। ପ୍ରଥମେ ଦୁଇଜଣ ପେମେଣ୍ଟ ଦେବା କଥା କହି ତାଙ୍କୁ କଥାରେ ଫସାଇଥିଲେ। ପରେ ବିକ୍ରାନ୍ତ ଭିତରପଟୁ କବାଟ କିଳିଦେବା ସହିତ ମୋବାଇଲ୍ରେ ଜୋରଜୋର୍ରେ ଗୀତ ବଜାଇଥିଲେ। ଏହାପରେ ଦୁଇଜଣ ଜବରଦସ୍ତି ଆରମ୍ଭ କରିଦେଇଥିଲେ। ରାତି ପ୍ରାୟ ୧ରୁ ୩ ଟା ପର୍ଯ୍ୟନ୍ତ ଦୁଇଜଣ ଦୁଷ୍କର୍ମ କରିଥିଲେ। ଏହାପରେ ହୋଟେଲ୍ରୁ ଆଣି ଟ୍ରେନ୍ରେ ବସାଇବା ପରେ ହର୍ଷ ମହିଳାଙ୍କୁ ଡିଲ୍ ମୁତବାକ ୪୦ ହଜାର ଟଙ୍କା ଦେବା ସହିତ ମୁହଁ ନଖୋଲିବାକୁ କି ପାଟନା ନ ଆସିବାକୁ ଧମକ ଦେଇଥିଲା।
ତେବେ କୋଲକାତାରେ ପହଞ୍ଚିବା ପରେ ପୀଡ଼ିତା ଜଣଙ୍କ ଘଟଣା ସମ୍ପର୍କରେ ତାଙ୍କ ସ୍ୱାମୀଙ୍କୁ କହିଥିଲେ। ପରେ ଜୁଲାଇ ୪ ତାରିଖରେ କୋଲକାତା ଜାଧବପୁର ଥାନାରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ଏବେ ଏହି ମାମଲା ପାଟନାର ଗାନ୍ଧୀ ମଇଦାନ ଥାନାକୁ ସ୍ଥାନାନ୍ତରିତ ହୋଇଛି। ଏବେ ଗାନ୍ଧୀ ମଇଦାନ ପୁଲିସ ମାମଲାର ଯାଞ୍ଚ କରିବ।
ଏହି ଘଟଣା ସମ୍ପର୍କରେ ଗାନ୍ଧୀ ମଇଦାନ ଥାନା ପ୍ରଭାରୀ ରଣଜୀତ ବତ୍ସ କହିଛନ୍ତି ଯେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଏପର୍ଯ୍ୟନ୍ତ ୩ ଥର ଅଲଗା ଅଲଗା ସ୍ଥାନରେ ଚଢ଼ାଉ କରାଗଲାଣି। ହେଲେ ଅଭିଯୁକ୍ତ ଗିରଫ କରାଯାଇ ନାହିଁ। ଫେରାର ଦୁଇ ଅଭିଯୁକ୍ତଙ୍କ ବିରୋଧରେ ପୁଲିସ ଗିରଫ ୱାରେଣ୍ଟ କୋର୍ଟରୁ ନେଇ ସାରିଛି। ଦୁଇ ଜଣଙ୍କ ମୋବାଇଲ୍ ବନ୍ଦ ରହିଛି। ଆଉ ଯଦି ଅଭିଯୁକ୍ତ ଗିରଫ ହେଇପରିଲେ ନାହିଁ ତେବେ କୋର୍ଟ ଠାରୁ ଅନୁମତି ନେଇ ତାଙ୍କର ସବୁ ସମ୍ପତ୍ତି ଜବଦ କରାଯିବ ବୋଲି ରଣଜୀତ ବତ୍ସ କହିଛନ୍ତି।