ସହକାରୀ ଯନ୍ତ୍ରୀ ସଞ୍ଜୟ ବେହେରା ଗିରଫ

ସୁନ୍ଦରଗଡ଼ : ନିଜର ଆୟଠାରୁ ଅଧିକ ସମ୍ପତ୍ତି ଠୁଳ କରିଥିବା ସୁନ୍ଦରଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ସଞ୍ଜୟ ବେହେରାଙ୍କୁ ଭିଜିଲାନ୍ସ ଗିରଫ କରିଛି। ଗତକାଲି ଭିଜିଲାନ୍ସ ପକ୍ଷରୁ ସଞ୍ଜୟଙ୍କ ସୁନ୍ଦରଗଡ଼ ଓ ଭଦ୍ରକର ୭ଟି ଠିକଣାରେ ଚଢ଼ଉ କରାଯାଇଥିଲା।
ଖବର ଅନୁଯାୟୀ ସଞ୍ଜୟ ବେହେରା ଓ ତାଙ୍କ ପରିବାର ଲୋକଙ୍କ ନାଁରେ ଭଦ୍ରକ ସହରର ଜଗନ୍ନାଥପୁରରେ ଏକ ଦୁଇ ମହଲା କୋଠା ଓ ବନ୍ତରେ ଗୋଟିଏ ଏକ ମହଲା ଘର ରହିଛି। ଏହାଛଡା ଭଦ୍ରକ ସହରର ଜଗନ୍ନାଥପୁରରେ ଗୋଟିଏ ପ୍ଳଟ ଥିବାବେଳେ ଯାଜପୁରର ଚନ୍ଦମା ମୌଜାରେ ଆଉ ଗୋଟିଏ ପ୍ଳଟ ରହିଛି। ସେହିପରି ବ୍ୟାଙ୍କ, ଡାକଘର ଓ ବୀମା ଜମା ବାବଦକୁ ପାଖାପାଖି ୧ କୋଟି ୬୭ ଲକ୍ଷ ଟଙ୍କା ସଞ୍ଜୟ ରଖିଛନ୍ତି। ତାଙ୍କ ଘରୁ ୨୦୦ ଗ୍ରାମର ସୁନାଗହଣା ଜବତ ହୋଇଛି। ତାଙ୍କର ୨ଟି ଦୁଇ ଚକିଆ ଗାଡ଼ି ଥିବାବେଳେ ୧୦ ଲକ୍ଷ ୫୦ ହଜାର ଟଙ୍କାର ଆସବାପତ୍ର ରହିଛି। ଯନ୍ତ୍ରୀ ସଞ୍ଜୟ ତାଙ୍କ ଦୁଇ ଛୁଆଙ୍କ ଡାକ୍ତରୀ ପଢ଼ା ପାଇଁ ୮୧ ଲକ୍ଷ ୮୦ ହଜାର ଟଙ୍କା ଖର୍ଚ୍ଚ କରିଥିବା ଭିଜିଲାନ୍ସ ଜାଣିବାକୁ ପାଇଛି।