ପାକିସ୍ତାନରେ ପେଟ୍ରୋଲ୍ ଲିଟର ୩୩୧ ଓ ଡିଜେଲ୍ ୩୨୯ ଟଙ୍କା

ଲାହୋର : ପାକିସ୍ତାନରେ ପେଟ୍ରୋଲ୍ ଲିଟର ୩୩୧ ଓ ଡିଜେଲ୍ ଦାମ୍ ୩୨୯ ଟଙ୍କା। ପ୍ରଥମ ଥର ପାଇଁ ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ ଏତେ ଅଧିକ ହୋଇଛି। ପାକିସ୍ତାନ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ପେଟ୍ରୋଲ୍ ଦାମ୍ରେ ୨୬ ଟଙ୍କା ୦୨ ପଇସା ଓ ହାଇସ୍ପିଡ୍ ଡିଜେଲ୍ ଦାମ୍ରେ ୧୭ ଟଙ୍କା ୩୪ ପଇସା ବୃଦ୍ଧି କରାଯାଇଛି।
ଖବର ଅନୁଯାୟୀ ବର୍ଦ୍ଧିତ ମୂଲ୍ୟ ଅନୁଯାୟୀ ପାକିସ୍ତାନରେ ପେଟ୍ରୋଲ୍ ଲିଟର ୩୩୧.୩୮ ଟଙ୍କା ଓ ଡିଜେଲ୍ ୩୨୯.୧୮ ଟଙ୍କା ହୋଇଛି। ଅନ୍ୟପକ୍ଷରେ ପାକିସ୍ତାନବାସୀଙ୍କୁ ବିଦ୍ୟୁତ ପାଇଁ ଚଢ଼ା ବିଲ୍ ଦେବାକୁ ପଡ଼ୁଥିବା ବେଳେ ପେଟ୍ରୋଲ୍ ଓ ଡିଜେଲ୍ ମୂଲ୍ୟ ବୃଦ୍ଧି ସେମାନଙ୍କ ସମସ୍ୟା ସୃଷ୍ଟି କରିବ।
ପାକିସ୍ତାନ ଏବେ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି। ହେଲେ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍)ଠାରୁ ପାଣ୍ଠି ପାଇବା ପରେ ଦେଶର ଅର୍ଥନୀତି ବିଫଳ ହେବାରୁ ବର୍ତ୍ତି ଯାଇଛି। କିନ୍ତୁ ତୈଳ ଦର ବୃଦ୍ଧି ମଧ୍ୟବିତ୍ତ ଓ ନିମ୍ନ ବର୍ଗଙ୍କ ଉପରେ ପ୍ରଭାବ ପକାଇବ। କାରଣ ପରିବହନ ବଢିଲେ ଅନ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ଘଟିବ। ସୂଚନାଯୋଗ୍ୟ ପାକିସ୍ତାନରେ ସେପ୍ଟେମ୍ବର ୧ରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଯଥାକ୍ରମେ ୧୪.୯୧ ଓ ୧୮.୪୪ ଟଙ୍କା ବୃଦ୍ଧି ପାଇବାର ୧୫ ଦିନ ମଧ୍ୟରେ ପୁଣି ୨୬ ଟଙ୍କା ବୃଦ୍ଧି ହୋଇଛି।