ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷିବ

ଭୁବନେଶ୍ୱର : ଉତ୍ତର ବଙ୍ଗୋପସାଗର କେନ୍ଦ୍ରୀୟ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହୋଇଛି। ଏହା ଉତ୍ତର ପଶ୍ଚିମ ଦିଗକୁ ଗତିକରି ଉପକୂଳ ମୁହାଁ ହେବ ସହିତ ଆଜି ବାଂଲାଦେଶ ଖେପୁପଡ଼ା ପାଖାପାଖି ଉପକୂଳ ଛୁଇଁବ। ପରେ ପଶ୍ଚିମ-ଉତ୍ତରପଶ୍ଚିମ ମୁହାଁ ହୋଇ ଗାଙ୍ଗେୟ ଉପତ୍ୟକା ଆଡ଼କୁ ଯିବ। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ ୪ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। ସେଥିପାଇଁ ଆସନ୍ତାକାଲି ସକାଳ ସାଢେ ୮ଟା ପର୍ଯ୍ୟନ୍ତ ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଂଜ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି।

ସେହିପରି ୧୩ଟି ଜିଲ୍ଲା ଯଥା ଯାଜପୁର, ଭଦ୍ରକ, ଦେବଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, ସୁନ୍ଦରଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ପୁରୀ ଓ ବାଲେଶ୍ୱରକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏସବୁ ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏହାଛଡା କେନ୍ଦ୍ରାପଡ଼ା, ଜଗତସିଂହପୁର, ବରଗଡ଼, ଝାରସୁଗୁଡ଼ା, ନୟାଗଡ଼, ଖୋର୍ଦ୍ଧା, ପୁରୀ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗିର, ନୂଆପଡ଼ା ଓ ଗଞ୍ଜାମ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି।

Leave a Reply

Your email address will not be published. Required fields are marked *

Back to top button