ସୁପ୍ରିମକୋର୍ଟ ମହିଳା ଓକିଲଙ୍କୁ ହତ୍ୟାକଲେ ସ୍ଵାମୀ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ଜଣେ ବରିଷ୍ଠ ମହିଳା ଓକିଲଙ୍କୁ ହତ୍ୟା କରିଛନ୍ତି ତାଙ୍କ ଅବସରପ୍ରାପ୍ତ ଆଇଆରଏସ ଅଫିସର ସ୍ୱାମୀ ଅଜୟ ନାଥ। ୬୨ ବର୍ଷୀୟ ଏହି ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ବେଳେ ଘଟଣାଟି ଉତ୍ତର ପ୍ରଦେଶର ନୋଏଡା ସେକ୍ଟର ୩୦ରେ ଘଟିଛି।
ଖବର ଅନୁଯାୟୀ ମହିଳା ଓକିଲ ପତ୍ନୀ ରେଣୁ ସିହ୍ନାଙ୍କୁ ତାଙ୍କ ସ୍ଵାମୀ ଅଜୟ ରବିବାର ହତ୍ୟା କରିଥିଲେ। ଗତ ଦୁଇଦିନ ହେଲା ଓକିଲ ରେଣୁ ସିହ୍ନାଙ୍କୁ ତାଙ୍କ ଭାଇ ଫୋନ କରିଥିଲେ ହେଁ କୌଣସି ଉତ୍ତର ମିଳିନଥିଲା। ଫଳରେ ସେ ଥାନାକୁ ଖବର ଦେଇଥିଲେ। ପୋଲିସ ଅଜୟ ନାଥଙ୍କ ବଙ୍ଗଳାରେ ପ୍ରବେଶ କରି ବାଥରୁମରୁ ରେଣୁଙ୍କ ମୃତଦେହ ଉଦ୍ଧାର କରିଥିଲା। ସ୍ୱାମୀ ଅଜୟ ନାଥଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ହେଁ ସଂଭବ ହୋଇନଥିଲା। ତାଙ୍କ ଫୋନ ବନ୍ଦ ଥିଲା। ହେଲେ ରେଣୁଙ୍କ ଭାଇ ପୂର୍ବରୁ ଅଭିଯୋଗ କରିଥିଲେ ଅଜୟ ନାଥଙ୍କର ହତ୍ୟା ପଛରେ ହାତ ରହିଛି। କାରଣ ଉଭୟଙ୍କ ମଧ୍ୟରେ ଦୀର୍ଘଦିନ ହେଲା ତିକ୍ତତା ରହିଥିଲା।
ଏହି ଅଭିଯୋଗ ପରେ ପୋଲିସ୍ ଅଜୟ ନାଥଙ୍କୁ ଖୋଜାଖୋଜି କରି ବଙ୍ଗଳାର ଷ୍ଟୋର ରୁମରୁ ଧରିଥିଲା। ଅଜୟ ନାଥ ରେଣୁଙ୍କୁ ହତ୍ୟାକରି ବଙ୍ଗଳାରେ ଚାବି ପକାଇ ଛାତ ଉପର ଷ୍ଟୋର ରୁମରେ ଲୁଚିଥିଲେ। ପୋଲିସ୍ ଗିରଫ କରି ପଚରାଉଚରା କରିବାରୁ ସେ ପତ୍ନୀ ରେଣୁଙ୍କୁ ମାରିଥିବା ସ୍ୱୀକାର କରିଛନ୍ତି। ଆଉ କହିଥିଲେ ବଙ୍ଗଳାକୁ ୪ କୋଟି ଟଙ୍କାରେ ବିକ୍ରି କରିବାକୁ ଆଡଭାନ୍ସ ଆଣିଥିଲେ। କିନ୍ତୁ ରେଣୁ ଏହାକୁ ବିରୋଧ କରିବାରୁ ଦୁହିଁଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା।