ମେସେଜ ଫରୱାର୍ଡ କରୁଥିବା ବ୍ୟକ୍ତି ବିଷୟବସ୍ତୁ ପାଇଁ ଦାୟୀ : ମାଡ୍ରାସ୍ ହାଇକୋର୍ଟ

ଚେନ୍ନାଇ : ସୋସିଆଲ ମିଡିଆରେ ବାର୍ତ୍ତା ଲେଖିବା କିମ୍ବା ଫରୱାର୍ଡ କରିବା ସମୟରେ ପ୍ରତ୍ୟେକ ବ୍ୟକ୍ତି ସାମାଜିକ ଦାୟିତ୍ୱ ନିର୍ବାହ କରିବା ଉଚିତ୍। ଯେଉଁ ବ୍ୟକ୍ତି ମେସେଜ୍ ଫରୱାର୍ଡ କରିଛନ୍ତି ସେ ତାହାର ବିଷୟବସ୍ତୁ ପାଇଁ ଦାୟୀ। ମାଡ୍ରାସ୍ ହାଇକୋର୍ଟ ଏହି ରାୟ ଦେଇଛନ୍ତି।
ଖବର ଅନୁଯାୟୀ ଅଭିନେତା ତଥା ବିଜେପି ନେତା ଏସଭି ଶେଖର ଏପ୍ରିଲ ୨୦୧୮ରେ ନିଜ ଫେସବୁକ୍ ଆକାଉଣ୍ଟରୁ ଜଣେ ମହିଳା ସାମ୍ବାଦିକଙ୍କ ବିରୋଧରେ ଅପମାନଜନକ ଓ ଅଶ୍ଳୀଳ ମନ୍ତବ୍ୟ ଦେଇଥିଲେ। ଏଥିପାଇଁ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ମାମଲାର ବିଚାର କରୁଥିବା ଜଷ୍ଟିସ ଆନନ୍ଦ ଭେଙ୍କଟେଶ କହିଛନ୍ତି ଶେଖର ଜଣେ ପ୍ରଭାବଶାଳୀ ବ୍ୟକ୍ତି। ସୋସିଆଲ ମିଡିଆରେ ତାଙ୍କର ଅନେକ ଅନୁଗାମୀ ବା ଫଲୋଅର୍ସ ଅଛନ୍ତି। ସେ ମେସେଜ କରିବା ସମୟରେ ଅଧିକ ସତର୍କ ରହିବା ଉଚିତ୍ ଥିଲା। ଯଦି ଏଭଳି ସତର୍କତାକୁ ଅଣଦେଖା କରାଯାଏ ଫଳସ୍ୱରୂପ ଏହା ଅତ୍ୟନ୍ତ ଗମ୍ଭୀର ପ୍ରଭାବ ପକାଇଥାଏ। ତେଣୁ ଆବେଦନକାରୀଙ୍କୁ ନିଶ୍ଚିତ ଭାବରେ ଏହାର ସମ୍ମୁଖୀନ ହେବାକୁ ପଡିବ। ସେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରି ଦଣ୍ଡରୁ ବର୍ତ୍ତିବାକୁ ଚେଷ୍ଟା କରିପାରିବେ ନାହିଁ।


























