ଜମିଜମା ବିବାଦ : ମହିଳାଙ୍କ ଆଖି ତାଡ଼ି ସ୍ତନ କାଟିଦେଲେ ଦୁର୍ବୃତ୍ତ

ପାଟନା : ଦୀର୍ଘବର୍ଷର ଜମିଜମା ବିବାଦକୁ ନେଇ ଜେଲ ଫେରନ୍ତା ଆସାମୀ ଘଟାଇଛନ୍ତି ଜଘନ୍ୟ ହତ୍ୟାକାଣ୍ଡ। ମହିଳାଙ୍କ ଆଖି ତାଡ଼ି ତାଙ୍କ ସ୍ତନକୁ କାଟି ଦେଇଛନ୍ତି। ଯୌନାଙ୍ଗରେ ଗଭୀର କ୍ଷତ ସୃଷ୍ଟି କରିବାରୁ ଛଟପଟ ହୋଇ ମହିଳାଙ୍କ ଜୀବନ ଯିବାରୁ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି।

ଖବର ଅନୁଯାୟୀ ବିହାରର ଖାରଗରିଆ ଜିଲ୍ଲାର ପ୍ରସରାହା ଗାଁ’ରେ ଏହି ଘଟଣା ଘଟିଛି। ମୃତା ମହିଳା ନାଁ ସୁଲେଖା ଦେବୀ। ସୁଲେଖା ଦେବୀ ଗତକାଲି ବିଲକୁ କାମ କରିବାକୁ ଯାଇ ଆଉ ଘରକୁ ଫେରି ନଥିଲେ। ପରିବାର ଲୋକେ ଖୋଜାଖୋଜି କରିବା ପରେ ଗାଁ ନିକଟରେ ତାଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ।

ଦୁର୍ବୃତ୍ତମାନେ ସୁଲେଖାଙ୍କୁ ଛୁରୀ ଭୁଷି ହତ୍ୟା କରିବା ସହିତ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗକୁ କାଟି ଦେଇଥିଲେ। ହତ୍ୟା ପୂର୍ବରୁ ତାଙ୍କ ଆଖି ତାଡ଼ି ଦିଆଯିବା ସହ ସ୍ତନଦ୍ୱୟକୁ କାଟି ଦେଇଥିଲେ। ଏତିକିରେ ସେମାନଙ୍କ ମନ ବୁଝି ନଥିଲା। ଗୁପ୍ତାଙ୍ଗରେ ବାରମ୍ବାର ଛୁରୀ ଭୁଶିବାକୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଦୁର୍ବୃତ୍ତମାନେ ଫେରାର ଥିବାରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ସେଠାରୁ ଏକ ଛୁରୀ ଜବତ ହୋଇଛି।

ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଲୋକେ ଜାତୀୟ ରାଜପଥ ଅବରୋଧ କରିଥିବା ବେଳେ ଦାବି କରିଛନ୍ତି ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଉ। ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଥିବା ଏସଡିଓ ସୂଚନା ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ପୋଲିସର ସୂଚନା ହେଲା ଜମିଜମା ବିବାଦରୁ ଏହି ଘଟଣା ଘଟିଛି। ଅଭିଯୁକ୍ତମାନେ ପୂର୍ବରୁ ମହିଳାଙ୍କ ସ୍ୱାମୀ ଓ ଦିଅରଙ୍କୁ ଗୁଳି କରି ହତ୍ୟାକରି ଜେଲ ଯାଇଥିଲେ। ଜାମିନରେ ଆସି ଏପରି ନିର୍ମମ କାଣ୍ଡ ଘଟାଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button