ନିଶାଦେଇ ମାଲିକାଣୀଙ୍କୁ ଦୁଷ୍କର୍ମ କଲେ ଭଡ଼ାଟିଆ

ଭୁବନେଶ୍ଵର : ସାଲେପୁର ଅଞ୍ଚଳରେ ଘର ଭଡ଼ା ନେଇ ରହୁଥିବା ଜଣେ ଯାତ୍ରା ପାର୍ଟିର ଖଳନାୟକ ସମ୍ପୃକ୍ତ ଘର ମାଲିକାଣୀଙ୍କୁ ନିଶାଦେଇ ଦୁଷ୍କର୍ମ କରିବା ଅଭିଯୋଗରେ ଗୁରୁବାର ଦିନ ଜେଲ୍‌ ଯାଇଛି । ସେ ହେଲା ଅରୁଣ କୁମାର ନାୟକ । ଘର କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ । ଘର ମାଲିକାଣୀଙ୍କ ଏତଲା ଭିତ୍ତିରେ ସାଲେପୁର ଥାନା ପୁଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ଜାମିନ ନାମଞ୍ଜୁର ହେବାରୁ ତାକୁ ସାଲେପୁର ସବ୍‌ଜେଲ୍‌କୁ ପଠାଇ ଦିଆଯାଇଛି । ଅଭିଯୁକ୍ତ ବିରୋଧରେ ପୁଲିସ କେସ ନଂ. ୩୨୬/୨୧ରେ ମାମଲା ରୁଜୁକରି ଭାରତୀୟ ଦଣ୍ଡବିଧି ଆଇନର ନଗ୍ନ ଫଟୋ ପ୍ରଚାର, ନିଶା ଦେଇ ବେହୋସ କରିବା, ବଳାତ୍କାର, ଧମକ ଦେବା, ମହିଳାଙ୍କୁ ଅପମାନିତ କରିବା, ମହିଳାଙ୍କୁ ଆକ୍ରମଣ, ଯୌନ ନିର୍ଯାତନା, ବଟି ମାଗିବା, ଓ ଏକାଧିକ ବ୍ୟକ୍ତି ଯୋଜନା ବଦ୍ଧ ଭାବେ ଅପରାଧ ଘଟାଇବାରେ ସମ୍ପୃକ୍ତ ରହିବା ଦଫା ଲଗାଇଛି ।

ଅଭିଯୋଗ ମୁତାବକ ଅରୁଣ ପ୍ରାୟ ତିନି ବର୍ଷ ହେଲା ସାଲେପୁରରେ ଜଣେ ମହିଳାଙ୍କ ଘରେ ଭଡ଼ାରେ ରହୁଥିଲା । ସମ୍ପୃକ୍ତ ମହିଳାଙ୍କ ସରଳତାର ସୁଯୋଗ ନେଇ ତାଙ୍କୁ କୌଶଳକ୍ରମେ ନିଶା ଦେଇ କିଛି ଦିନ ତଳେ ବଳାତ୍କାର କରିବା ସହ ଅଶ୍ଳୀଳ ଭିଡିଓ ସୁଟିଂ କରିଥିଲା । ଏ ସଂପର୍କରେ କାହା ଆଗରେ ପ୍ରକାଶ କଲେ ଉକ୍ତ ଭିଡିଓକୁ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ କରିବାକୁ ଧମକ ଦେବା ସହ ୫ଲକ୍ଷ ଟଙ୍କା ଦାବିି କରିଥିଲା । ତେବେ ପୀଡ଼ିତା ଏହାର ପ୍ରତିବାଦ କରିବାରୁ ଅରୁଣ ପାଟିତୁଣ୍ଡ କରିବା ସହ ଆସବାବପତ୍ର ଭଙ୍ଗାରୁଜା କରିଥିଲା । ଏପରିକି ଘର ମାଲିକାଣୀଙ୍କୁ ମାରଣାସ୍ତ୍ର ଦେଖାଇ ହତ୍ୟା କରିବ ବୋଲି ଧମକ ଦେଇ ତାଙ୍କ କାର୍‌କୁ ଭଙ୍ଗାରୁଜା କରିଥିଲା । ପ୍ରବଳ ନିଶାଖାଇ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିଥିଲା । କେବଳ ସେତିକି ନୁହେଁ, ଏହା ପୂର୍ବରୁ ମହିଳା ଜଣକ ବାଥ୍‌ରୁମରେ ଗାଧୋଉଥିବା ବେଳେ ତା’ର ରେକର୍ଡିଂ କରିଥିଲା । ଏନେଇ ମହିଳା ଜଣକ ଥାନାରେ ଲିଖିତ ଅଭିଯୋଗ କରିବା ପରେ ସାଲେପୁର ଥାନା ପୁଲିସ ଅରୁଣ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି ।

Leave a Reply

Your email address will not be published. Required fields are marked *

Back to top button