ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ
ଭୁବନେଶ୍ୱର : ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ଅନୁଯାୟୀ ପ୍ରାର୍ଥୀ ଆଜିଠାରୁ ୨୦ ତାରିଖ ପର୍ଯ୍ୟନ୍ତ ଦିନ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ କରିପାରିବେ। ଏପ୍ରିଲ ୨୧ରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ଏପ୍ରିଲ ୨୪ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ। ମେ’ ୧୦ରେ ଭୋଟ। ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ। ମେ’ ୧୩ରେ ଭୋଟଗଣତି ହେବ ବୋଲି ବିଜ୍ଞପ୍ତିରେ କୁହାଯାଇଛି।
ସୂଚନାଯୋଗ୍ୟ ସ୍ଵାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ମୃତ୍ୟୁ ପରେ ଝାରସୁଗୁଡ଼ା ବିଧାନସଭା ଖାଲି ପଡ଼ିଥିଲା। ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ୬ ମାସରୁ ଅଧିକ ଧରି କୌଣସି ବିଧାନସଭା ଆସନକୁ ଖାଲି ରଖାଯାଇ ପାରିବନାହିଁ। ତେଣୁ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ)ଙ୍କୁ ବିଧିବଦ୍ଧଭାବେ ଅବଗତ କରାଯିବା ପରେ ଆୟୋଗଙ୍କ ପକ୍ଷରୁ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରଯାଇଥିଲା। ଏହି ଉପ-ନିର୍ବାଚନ ପାଇଁ ୩ ପ୍ରମୁଖ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ବିଜେଡିରୁ ଦୀପାଳି ଦାସ, ତରୁଣ ପାଣ୍ଡେ କଂଗ୍ରେସ ଓ ଟଙ୍କଧର ତ୍ରିପାଠୀ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି।