ନୂଆ ସଂସଦ ଭବନ ଉଦଘାଟନ ଉତ୍ସବରେ ବିଜେଡ଼ି ଯୋଗଦେବ

ନୂଆଦିଲ୍ଲୀ : ଆସନ୍ତା ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ସଂସଦ ଭବନକୁ ଉଦଘାଟନ କରିବେ। ହେଲେ ଏହି କାର୍ଯ୍ୟକ୍ରମକୁ ବୟକଟ୍ କରିବେ କଂଗ୍ରେସ ସମେତ ୧୯ଟି ବିରୋଧୀଦଳ। କାରଣ ସେମାନଙ୍କ ଦାବି ସଂସଦ ଭବନକୁ ରାଷ୍ଟ୍ରପତି ଉଦଘାଟନ କରିବା ଉଚିତ। କିନ୍ତୁ ବିଜୁ ଜନତା ଦଳ (ବିଜେଡି) ଏହି ଉତ୍ସବରେ ଯୋଗଦେବାକୁ ନିଷ୍ପତ୍ତି ନେଇଛି।
ଦଳପକ୍ଷରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି ଭାରତର ରାଷ୍ଟ୍ରପତି ଦେଶର ଶାସନ ମୁଖ୍ୟ, ସେହିପରି ସଂସଦ ୧୪୦ କୋଟି ଭାରତୀୟଙ୍କ ପ୍ରତିନିଧିତ୍ଵ କରେ। ଉଭୟ ଅନୁଷ୍ଠାନ ଭାରତୀୟ ଗଣତନ୍ତ୍ରର ପ୍ରତୀକ ଓ ଭାରତର ସମ୍ବିଧାନ ସେମାନଙ୍କୁ କ୍ଷମତା ଦେଇଛି। ସେମାନଙ୍କ ଏହି କ୍ଷମତାର ରକ୍ଷା କରାଯିବା ଉଚିତ। ବିଜେଡ଼ି ବିଶ୍ଵାସ କରେ ଏସବୁ ଅନୁଷ୍ଠାନର ଗାରିମା ରହିଛି ଓ ଏଗୁଡ଼ିକୁ କୌଣସି ପ୍ରକାରର ମତଭେଦରୁ ଉପରେ ରଖାଯିବା ଉଚିତ। ମତଭେଦକୁ ପରବର୍ତ୍ତୀ କାଳରେ ଦୂର କରିହେବ।
ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ଟୁଇଟ କରି ଲେଖିଛନ୍ତି ସଂସଦ ଆମ ଗଣତନ୍ତ୍ରର ମନ୍ଦିର ଓ ଏହା ଦେଶର ଆତ୍ମାକୁ ପ୍ରତିନିଧିତ୍ଵ କରେ। ଏହା ସମସ୍ତ ଦେଶବାସୀଙ୍କର ଓ ସବୁ ଦଳଙ୍କର। ଏପରି ସମାରୋହକୁ ବୟକଟ୍ କରିବା ପ୍ରକୃତ ଗଣତନ୍ତ୍ରର ପରିଚାୟକ ନୁହେଁ। ମତଭେଦକୁ ଦୂର କରି ସବୁ ଦଳ ଏଥିରେ ଯୋଗ ଦେବାକୁ ସେ ନିବେଦନ କରିଛନ୍ତି।