ବିଶ୍ୱ ବ୍ରହ୍ମାଣ୍ଡରେ ‘ଏଲିଏନ’ ଅଛନ୍ତି : ନାସା
ବିଶ୍ୱ ବ୍ରହ୍ମାଣ୍ଡରେ ଏଲିଏନ୍ ବା ଅନ୍ୟ ଗ୍ରହରେ ଜୀବସତ୍ତା ସଂପର୍କରେ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ବଡ଼ ସୂଚନା ଦେଇଛି। ଆଜି ପ୍ରକାଶ ପାଇଛି ଏଲିଏନ୍ ସଂପର୍କିତ ନାସାର ୩୩ ପୃଷ୍ଠା ବିଶିଷ୍ଟ ରିପୋର୍ଟ। ଯାହାକି ସମଗ୍ର ବିଶ୍ୱରେ ଚାଞ୍ଚଲ୍ୟ ଖେଳାଇଦେଇଛି।
ଖବର ଅନୁଯାୟୀ ନାସାର ଏକ ଅନୁଧ୍ୟାନ କମିଟି ଦୀର୍ଘ ୯ ମାସ ଧରି ୟୁଏଫଓ ବା ଅଜଣା ଉଡ଼ନ୍ତା ବସ୍ତୁ ଓ ଏଲିଅନ୍ ସମ୍ପର୍କରେ ଅନୁଧ୍ୟାନ କରୁଥିଲା। ନାସାର ପ୍ରଶାସକ ବିଲ୍ ନେଲସନ୍ କହିଛନ୍ତି ମୋର ବିଶ୍ୱାସ ଅଛି ପୃଥିବୀ ବ୍ୟତୀତ ବିଶ୍ୱ ବ୍ରହ୍ମାଣ୍ଡର ଅନ୍ୟ ଗ୍ରହରେ ଜୀବନ ରହିଛି। ମୁଁ ବିଶ୍ୱାସ କରେ ଏଲିଏନ୍ ଅଛନ୍ତି। ନାସା କହିଛି ୟୁଏଫଓ ବା ଅଜଣା ଉଡ଼ନ୍ତା ବସ୍ତୁ ସମ୍ପର୍କରେ ଜାଣିବା ପାଇଁ ଅତ୍ୟାଧୁନିକ ବୈଷୟିକ କୌଶଳର ଆବଶ୍ୟକତା ଅନ-ଆଇଡେଣ୍ଟିଫାଏଡ୍ ଏରିଆଲ୍ ଫିନୋମେନନ୍ ବା ୟୁପିଏ ସଂପର୍କରେ ଅଧିକ ଗବେଷଣା ପାଇଁ ନାସା ଏକ୍ସପର୍ଟ ପ୍ୟାନେଲ ମଧ୍ୟ ଗଠନ କରିଛି। ଏହାର ମଧ୍ୟ ନୂଆ ନିର୍ଦ୍ଦେଶକ ନିଯୁକ୍ତ କରାଯିବ।
ପୂର୍ବରୁ ସମ୍ଭାବ୍ୟ ୟୁଏଫଓ ସଂପର୍କିତ କିଛି ଭିଡିଓ ଆମେରିକାର ସେନା ମୁଖ୍ୟାଳୟ ପେଣ୍ଟାଗନ୍ ଛାଡ଼ିଥିଲା। ନୌସେନାର ପାଇଲଟମାନେ ଆକାଶରେ ଅଚିହ୍ନା ବସ୍ତୁ ଉଡ଼ୁଥିବା ଦେଖିବାକୁ ପାଇଥିଲେ। ଏହା କେମିତି ଉଡ଼ୁଥିଲା ସେସଂପର୍କିତ କୌଣସି ସ୍ପଷ୍ଟ ସୂଚନା ମିଳିନଥିଲା। ତେଣୁ ସେସବୁ ଅନ୍ୟ ଗ୍ରହରୁ ଆସିଥାଇ ପାରେ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ସେତେବେଳେ ନାସା କହିଥିଲା ଏହି ଦୃଶ୍ୟ ଗୁଡ଼ିକ ଅସ୍ପଷ୍ଟ ଥିବାରୁ କୌଣସି ବିଜ୍ଞାନସମ୍ମତ ନିଷ୍କର୍ସ ବାହାର କରାଯାଇପାରିବ ନାହିଁ। ଗତକାଲି ମେକ୍ସିକୋ ସଂସଦରେ ଦୁଇଟି ଏଲିଏନ ମୃତଦେହ ପ୍ରଦର୍ଶିତ ହୋଇଥିଲା। ପେରୁର କସ୍କୋରୁ ଏହି ଦୁଇଟି ମୃତଦେହ ଉଦ୍ଧାର କରାଯାଇଥିବା କୁହାଯାଇଥିଲା।