ମହାପ୍ରଭୁଙ୍କୁ ଦର୍ଶନ ଓ ଉନ୍ନୟନ କାମର ସମୀକ୍ଷା କଲେ ୫ଟି ସଚିବ

ପୁରୀ : ୫ଟି ସଚିବ ଭି.କେ. ପାଣ୍ଡିଆନ ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ ସହିତ ବିଭିନ୍ନ ଉନ୍ନୟନ ମୂଳକ କାମର ସମୀକ୍ଷା କରିଛନ୍ତି।
ରବିବାର ଶ୍ରୀ ପାଣ୍ଡିଆନ ଶ୍ରୀମନ୍ଦିର ଚାରିପାଖରେ ଐତିହ୍ୟ ପରିକ୍ରମା ପ୍ରକଳ୍ପ ନିର୍ମାଣ କାମର ଅନୁଧ୍ୟାନ କରିଥିଲେ। ପ୍ରକଳ୍ପ କାମ କିଭଳି ଖୁବ ଶୀଘ୍ର ସରିବ ସେ ସମ୍ପର୍କରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଓ.ବି.ସି.ସି. ଓ ଟାଟା ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ସେହିପରି ମାର୍କେଟ ଛକରେ ନିର୍ମାଣ ଚାଲିଥିବା ମାର୍କେଟ କମ୍ପ୍ଲେକ୍ସ ଓ ପେଣ୍ଠକଟା ଠାରେ ଶ୍ରୀଜଗନ୍ନାଥ କ୍ରିକେଟ୍ ଷ୍ଟାଡିୟମ ସମେତ ସମସ୍ତ କାମର ଅନୁଧ୍ୟାନ କରିଥିଲେ।
ସୂଚନା ଅନୁଯାୟୀ ଷ୍ଟାଡିୟମ ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବାକି ସମସ୍ତ କାମ ଖୁବଶୀଘ୍ର ଶେଷ କରିବାକୁ ଅଧିକାରୀଙ୍କୁ ୫ଟି ସଚିବ ନିର୍ଦ୍ଦେଶ ଦେଇଥିଲେ। ପୁରୀକୁ ବିଶ୍ଵ ଐତିହ୍ୟ ନଗରୀ ଭାବେ ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସହରରେ ବିଭିନ୍ନ ଉନ୍ନୟନମୂଳକ ଓ ସୌନ୍ଦର୍ଯ୍ୟକରଣ କାମ ଜୋରସୋରରେ ଆଗେଇ ଚାଲିଛି। ତେଣୁ ଏହାର ଅନୁଧ୍ୟାନ ପାଇଁ ବିଭିନ୍ନ ସମୟରେ 5-T ସଚିବ ପୁରୀ ଗସ୍ତରେ ଆସି ସହରରେ ଚାଲିଥିବା ସମସ୍ତ ଉନ୍ନୟନମୂଳକ କାମର ଅଗ୍ରଗତି ସଂପର୍କରେ ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି।