ସହାୟକ ମୂଲ୍ୟ ବୃଦ୍ଧିରୁ ଡାଲି ଦର ବଢିବ : ବ୍ୟବସାୟୀ ମହାସଂଘ

ଭୁବନେଶ୍ଵର : ସରକାର ବିରି, ମୁଗ ଓ ଅନ୍ୟାନ୍ୟ ଡାଲିର ସହାୟକ ମୂଲ୍ୟ ଧାର୍ଯ୍ୟ କରିଥିବାରୁ ସେହି ଅନୁପାତରେ ଦର ବୃଦ୍ଧି ପାଉଛି। ଏବେ ଗୋଟା ହରଡ଼ର ସହାୟକ ମୂଲ୍ୟ ୭୨ ଶହ ଟଙ୍କା ରହିଥିବାରୁ ଡ଼ାଲିର ଦର ବଢିବ। ତାହାଛଡା ଗତବର୍ଷ ୨କୋଟି ୩୦ଲକ୍ଷ ଟନ୍ ଡାଲି ଉତ୍ପାଦନ ହୋଇଥିଲା। ଏ ବର୍ଷ ୨ କୋଟି ୧୦ ଲକ୍ଷ ଟନ୍ ଭିତରେ ଉତ୍ପାଦନ ହୋଇଛି। ଗତ ବର୍ଷ ଅପେକ୍ଷା ୧୦% ଡାଲି ଉତ୍ପାଦନ କମିଥିବାରୁ ଡାଲି ଦର ବଢିଛି ବୋଲି କହିଛନ୍ତି ଓଡ଼ିଶା ବ୍ୟବସାୟୀ ମହାସଂଘ ମହାସଚିବ ସୁଧାକର ପଣ୍ଡା।
ଶ୍ରୀ ପଣ୍ଡା କହିଛନ୍ତି ସରକାର ଯେଉଁ ଭଳି ନିୟନ୍ତ୍ରଣ କରିବା କଥା ତାହା ହେଉନାହିଁ। କର୍ପୋରେଟ ସଂସ୍ଥାମାନେ ଅଧିକା ସାମଗ୍ରୀ ଷ୍ଟକ୍ କରି ରଖୁଛନ୍ତି। ଫଳରେ ଦର ନିୟନ୍ତ୍ରଣ କ୍ଷମତା ଏବେ ସରକାରଙ୍କ ପାଖରେ ରହୁ ନାହିଁ। ନିୟନ୍ତ୍ରଣ କ୍ଷମତା ରହୁଛି କର୍ପୋରେଟ ହାଉସ୍ ପାଖରେ। ବିଭିନ୍ନ ସାମଗ୍ରୀ ଦର ବଜାରରେ ହଠାତ୍ ବୃଦ୍ଧି ପାଉଛି। ପୁଣି ଅଚାନକ ୨ଟଙ୍କା ବା ୩ଟଙ୍କା କମେଇ ବଜାରରେ ଅସ୍ଥିରତା ସୃଷ୍ଟି କରୁଛନ୍ତି କର୍ପୋରେଟ ସଂସ୍ଥା। ଏହା ହେବା ଦ୍ଵାରା ଖୁଚୁରା ବ୍ୟବସାୟୀମାନେ କ୍ଷତି ସହୁଛନ୍ତି। ଯଦି ଓଡ଼ିଶାରେ ଡାଲି ଜାତୀୟ ଶସ୍ୟ ଉତ୍ପାଦନ ଓ ବଜାର ଦର ନିୟନ୍ତ୍ରଣ ଉପରେ ଗୁରୁତ୍ଵ ନ ଦେବେ ତେବେ ଡାଲି ଦର ଆହୁରି ବୃଦ୍ଧି ହେବ।