ତୃତୀୟ ସାମ୍ମୁଖ୍ୟରେ ନାହୁଁ, ସମଦୂରତା ବଜାୟ ରଖିଛୁ : ନବୀନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନୂଆଦିଲ୍ଲୀ ଲୋକକଲ୍ୟାଣ ମାର୍ଗସ୍ଥିତ ବାସଭବନରେ ଭଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗୁରୁବାର ଉଭୟ ନେତାଙ୍କ ମଧ୍ୟରେ ପ୍ରାୟ ୨୦ ମିନିଟ୍‌ ଧରି ଆଲୋଚନା ହୋଇଛି। ଏହି ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀଜଗନ୍ନାଥ ଆନ୍ତର୍ଜାତିକ ବିମାନବନ୍ଦର କାର୍ଯ୍ୟ ତ୍ଵରାନ୍ୱିତ ସହ ଅନ୍ୟ ତିନିଟି ଦାବି ପ୍ରଧାନମନ୍ତ୍ରୀଙ୍କ ନିକଟରେ ଉପସ୍ଥାପିତ କରିଛନ୍ତି। ଆଉ ତୃତୀୟ ସାମ୍ମୁଖ୍ୟ ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଏବେ ସେମିତି କିଛି ନାହିଁ। ତୃତୀୟ ସାମ୍ମୁଖ୍ୟରେ ଆମେ ନାହୁଁ। ଆମେ ସମଦୂରତା ବଜାୟ ରଖିଛୁ।

ଖବର ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କ ସହ ହୋଇଥିବା ଆଲୋଚନା ସମ୍ପର୍କରେ ନବୀନ କହିଛନ୍ତି ପୁରୀରେ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା ପ୍ରସଙ୍ଗରେ ସେ ଦୃଷ୍ଟି ଆକର୍ଷଣ କରିଛନ୍ତି। ପ୍ରସ୍ତାବିତ ଏହି ବିମାନବନ୍ଦରର ସୀମା ନିର୍ଦ୍ଧାରଣ ଓ ପାଚେରୀ କାମ ଶେଷହୋଇଛି। ତେବେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ନିକଟରେ ବିମାନ ବନ୍ଦର ସଂପର୍କିତ ପ୍ରକଳ୍ପ ସାଇଟ୍‌ କ୍ଲିଅରାନ୍‌ସ ସେପ୍ଟେମ୍ବର ୨୦୨୨ରୁ ପଡ଼ିରହିଛି। ଏହାକୁ ଶୀଘ୍ର କାର୍ଯ୍ୟକାରୀ କରିବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ପ୍ରଧାନମନ୍ତ୍ରୀ ସବୁ ପ୍ରକାର ସହାୟତା ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଭାରତନେଟ୍‌ ଫେଜ-୨ ଯୋଜନାରେ ଓଡ଼ିଶାକୁ ବିଶେଷ ଗୁରତ୍ଵ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଦାବି କରିଥିଲେ। ‘ଉଦ୍ୟମୀ’ ଯୋଜନାରେ ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ୫ଟି ମାଗଣା ସଂଯୋଗୀକରଣର ବ୍ୟବସ୍ଥା ରହିଛି। ଏହାକୁ ଭାରତନେଟ୍‌ ଫେଜ-୨ ଯୋଜନାରେ ସାମିଲ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ। ଭାରତ ନେଟ୍‌କୁ ଗ୍ରାମପଞ୍ଚାୟତରୁ ଗାଁ ପର୍ଯ୍ୟନ୍ତ ସଂପ୍ରସାରଣ କରିବା ପାଇଁ ଟେଲି ଯୋଗାଯୋଗ ମନ୍ତ୍ରାଳୟ ନିକଟରେ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ଦାଖଲ କରାଯାଇଛି। ଏହା ଉପରେ କୌଣସି ନିଷ୍ପତ୍ତି ନିଆଯାଇନଥିବା ମୋଦୀଙ୍କୁ ମୁଖ୍ୟମନ୍ତ୍ରୀ ଅବଗତ କରିଥିଲେ।

ମୁଖ୍ୟମନ୍ତ୍ରୀ ଦର୍ଶାଇଥିଲେ ରାଜ୍ୟର ଅନେକ ପଞ୍ଚାୟତରେ ଏପର୍ଯ୍ୟନ୍ତ ବ୍ୟାଙ୍କିଙ୍ଗ ସୁବିଧା ପହଞ୍ଚିପାରିନି। ତେଣୁ ଫାଇନାନସିଆଲ ସର୍ଭିସେସ ବିଭାଗ ଦ୍ଵାରା ଦୁଇବର୍ଷିଆ ଯୋଜନା ଅର୍ନ୍ତଗତ ବ୍ୟାଙ୍କ ବିହୀନ ଗ୍ରାମପଞ୍ଚାୟତରେ ବ୍ୟାଙ୍କ ବ୍ୟବସ୍ଥା ସ୍ଥାପନ କରାଯାଉ। ଏଥିସହ ବୟୋଜ୍ୟେଷ୍ଠ ଓ ଦିବ୍ୟାଙ୍ଗ ହିତାଧିକାରୀମାନେ ଯେଉଁମାନଙ୍କୁ ବ୍ୟାଙ୍କକୁ ଯାଇ ଅର୍ଥ ଆଣିବାରେ ଅସୁବିଧା ହେଉଛି ସେମାନଙ୍କ ପାଇଁ କେନ୍ଦ୍ର ସରକାର ନିୟମ କୋହଳ କରିବାର ଆବଶ୍ୟକତା ରହିଛି।

ରାଜ୍ୟର ୮ଟି ଅଧପନ୍ତରିଆ ଜାତୀୟ ରାଜପଥ ଗୁଡିକର କାର୍ଯ୍ୟ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଦାବି କରିଥିଲେ। ଅସମ୍ପୂର୍ଣ୍ଣ ଜାତୀୟ ରାଜପଥ ତାଲିକାରେ ଏନ୍‌ଏଚ୍‌- ୫୫ର କଟକ-ଅନୁଗୁଳ ସେକ୍ସନ, ଏନ୍‌ଏଚ୍‌-୪୨ର ଅନୁଗୁଳ-ସମ୍ବଲପୁର ସେକ୍ସନ, ଏନ୍‌ଏଚ୍‌-୨୩ର ରାଜମୁଣ୍ଡା-ବାରକୋଟେ ସେକ୍ସନ, ଏନ୍‌ଏଚ୍‌-୨୦୦ର ଡୁବୁରି-ଚଣ୍ଡିଖୋଲ ସେକ୍ସନ, ଏନ୍‌ଏଚ୍‌-୫(ନୂଆ ଏନ୍‌ଏଚ୍‌-୧୬)ର ଭଦ୍ରକ-ବାଲେଶ୍ବର ସେକ୍ସନ, ଟାଙ୍ଗୀ ଭୁବନେଶ୍ଵର ସେକ୍ସନ ଓ ପୁନିତୋଲା ଟାଙ୍ଗୀ ସେକ୍ସନ ରହିଛି। ଏହି ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଶୀଘ୍ର ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ।

Leave a Reply

Your email address will not be published. Required fields are marked *

Back to top button