ସୁଶାନ୍ତଙ୍କୁ ମନ୍ତ୍ରୀପଦ ମିଳିଲାନି : ନବୀନଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇବାକୁ ସମର୍ଥକଙ୍କୁ ଉସୁକାଇଲା କିଏ ?

ଭୁବନେଶ୍ଵର : ଆଜି ରାଜ୍ୟ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିବା ତିନି ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ବିଜେଡିର ଅଧିକାଂଶ ବିଧାୟକ ଉପସ୍ଥିତ ଥିଲେ। କିନ୍ତୁ ପଶ୍ଚିମ ଓଡ଼ିଶାର ସଂଗଠକ ତଥା ଭଟଲି ବିଧାୟକ ସୁଶାନ୍ତ ସିଂଙ୍କର ଦେଖା ମିଳିନଥିଲା। ହେଲେ ସମର୍ଥକମାନେ ଆଶା ବାନ୍ଧିଥିଲେ ସୁଶାନ୍ତଙ୍କୁ ମନ୍ତ୍ରୀପଦ ମିଳିବ। କିନ୍ତୁ ମନ୍ତ୍ରୀଭାବେ ଶପଥ ନେଇଥିଲେ ରାଉରକେଲା ବିଧାୟକ ଶାରଦା ନାୟକ। ଏହାକୁ ସୁଶାନ୍ତଙ୍କ ସମର୍ଥକ ଗ୍ରହଣ କରିପାରୁନାହାନ୍ତି। ପ୍ରତିକ୍ରିୟାରେ ବରଗଡ଼ ଜିଲ୍ଲା ଯୁବ ବିଜେଡି ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ କହିଛନ୍ତି ବରଗଡ଼, ବଲାଙ୍ଗିର ଓ ସମ୍ବଲପୁରରେ ଅସନ୍ତୋଷ ସୃଷ୍ଟି ହେଲାଣି। ଯଦି ଏମିତି ଅବହେଳା କରାଯାଏ ତା’ହେଲେ ଆମକୁ ଚିନ୍ତା କରିବାକୁ ପଡ଼ିବ। ପ୍ରତିବାଦରେ ସମୂହ ଇସ୍ତଫା ଦେବେ କି ପ୍ରଶ୍ନରେ ସେମିତି ସମସ୍ତେ କହୁଛନ୍ତି ବୋଲି ପ୍ରଦ୍ୟୁମ୍ନ କହିଥିଲେ। ଏବେ ପ୍ରଶ୍ନ ଉଠୁଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଏପରି କହିବାକୁ ପ୍ରଦ୍ୟୁମ୍ନଙ୍କୁ କିଏ ଉସୁକାଇଲା ? ନଚେତ ଜଣେ ଜିଲ୍ଲା ସଭାପତି ନବୀନଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇବାକୁ ସାହସ କଲେ କିପରି? ଏସବୁ କରାଇବା ପଛରେ ସୁଶାନ୍ତ ନା ଆଉ କିଏ ?

ଅନ୍ୟପକ୍ଷରେ ଚର୍ଚ୍ଚା ହେଉଥିଲା ଝାରସୁଗୁଡା ନବନିର୍ବାଚିତ ବିଧାୟିକା ଦୀପାଳି ଦାସ ମନ୍ତ୍ରିମଣ୍ଡଳରେ ସାମିଲ ହେବେ। ଆହୁରି କଥା ଉଠିଲା ଦିବଂଗତ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରିବାର ଓ ସୁଶାନ୍ତ ସିଂହଙ୍କ ମଧ୍ୟରେ ବ୍ୟବସାୟିକ କାରଣରୁ ମନାନ୍ତର ରହିଛି। ସେଥିପାଇଁ ଝାରସୁଗୁଡା ଉପନିର୍ବାଚନ ପ୍ରଚାର ତାଲିକାରେ ସୁଶାନ୍ତ ସିଂହଙ୍କ ନାଁ ଥିଲେ ମଧ୍ୟ ସେ ପ୍ରଚାର ମୈଦାନକୁ ଓହ୍ଲାଇ ନଥିଲେ। ଉପନିର୍ବାନ ପରେ ଦୁଇଜଣ ମନ୍ତ୍ରୀ ଇସ୍ତଫା ଦେଲେ। ସେତେବେଳେ କୁହାଗଲା ଦୀପାଳିଙ୍କୁ ମନ୍ତ୍ରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଜନା କରୁଛନ୍ତି। ଏବେ ରାଜନୈତିକ ମହଲରେ ଆଲୋଚନା ହେଉଛି ସୁଶାନ୍ତ-ଦୀପାଳିଙ୍କ ମଧ୍ୟରେ ଥିବା ମନାନ୍ତର ଲାଭ ଶାରଦାଙ୍କ ପାଇଁ ଲାଭଦାୟକ ହୋଇଛି।

ଅନ୍ୟପକ୍ଷରେ ବିଧାୟକ ସୁଶାନ୍ତ ସିଂ ଏସବୁକୁ ଖଣ୍ଡନ କରି କହିଛନ୍ତି ମୁଁ ଝାରସୁଗୁଡ଼ାରେ ନିର୍ବାଚନ ପ୍ରଚାର କରିଛି। ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ସମୟରେ ମଧ୍ୟ ଉପସ୍ଥିତ ଥିଲି। କିନ୍ତୁ ଗଣମାଧ୍ୟମରେ ଏପରି କାହିଁକି ପ୍ରଚାର ହେଲା ତାହା ମୁଁ କହିପାରିବି ନାହିଁ।’ ଦୀପାଳି ଓ ମୋ ଭିତରେ କଳି କଥାକୁ ନେଇ ମିଡିଆରେ ଭିନ୍ନ କଥା ପ୍ରଚାର ହେଉଛି। ହେଲେ ମୁଁ ଉପନିର୍ବାଚନ ସମୟରେ କହିଥିଲି ଝାରସୁଗୁଡ଼ାରେ ଦୀପାଳି ଦାସ ୪୦ ହଜାର ଭୋଟରେ ଜିତିବେ। ମୋର କୌଣସି ଅସନ୍ତୋଷ ନାହିଁ।

ସେହିପରି ମନ୍ତ୍ରୀ ପଦ ନ ମିଳିବା ନେଇ ସେ କହିଛନ୍ତି ମୁଁ କାହିଁକି ଅସନ୍ତୁଷ୍ଟ ହେବି ? ମୁଁ ଆଶାରେ ନ ଥିଲି। ହଁ, ଆମର ଲୋକଙ୍କ ଆଶା ଥିଲା। ହେଲେ ଯେଉଁମାନେ ମୋ ପାଖକୁ ଆସୁଛନ୍ତି ସେମାନଙ୍କୁ ମୁଁ ବୁଝାଇ ଦେଉଛି। ବରଗଡ଼ ଜିଲ୍ଲା ଯୁବ ବିଜେଡି ସଭାପତି ଅସନ୍ତୁଷ୍ଟ ଥିବା ମୁଁ ଜାଣିନାହିଁ। ତାଙ୍କ ସହ ମୁଁ କଥା ହୋଇନାହିଁ। ମୋ ଉପରେ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ଅଛି। ମୁଁ ଲବିରେ ବିଶ୍ଵାସ କରେନି। ୨୦୦୯ରେ ବିନା ଲବିରେ ନବୀନ ପଟ୍ଟନାୟକ ମତେ ଟିକେଟ୍ ଦେଇଥିଲେ। ବିଜେଡିରେ କେହି ମୋର ପର ନୁହନ୍ତି। ମତେ ନେଇ ଦଳରେ କିଏ କ’ଣ ଭାବୁଛନ୍ତି ତାହା କହିପାରିବିନି।

Leave a Reply

Your email address will not be published. Required fields are marked *

Back to top button