ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ବୃଦ୍ଧି

ଭୁବନେଶ୍ଵର : ରାଜ୍ୟ ସରକାର ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ପରିମାଣ ବୃଦ୍ଧି କରିଛନ୍ତି। ଏନେଇ ବିଭାଗ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି। ଫଳରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏବଂ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନସ୍ଥ ସ୍କୁଲଗୁଡ଼ିକର ଛାତ୍ରଛାତ୍ରୀମାନେ ଉପକୃତ ହେବେ।

ସୂଚନା ଅନୁଯାୟୀ ଦରଦାମ ଓ ଦୈନନ୍ଦିନ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିକୁ ଦୃଷ୍ଟିରେ ରଖି ଉଭୟ ହଷ୍ଟେଲ ଅନ୍ତେବାସୀ ଓ ଡେ-ସ୍କଲାର ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପ୍ରି-ମାଟ୍ରିକ ସ୍କଲାରସିପ୍ ପରିମାଣକୁ ବୃଦ୍ଧି କରାଯାଇଛି। ୨୦୨୩-୨୪ ଆର୍ଥିକ ବର୍ଷରୁ ଏହି ବର୍ଦ୍ଧିତ ସ୍କଲାରସିପ୍ ଲାଗୁ ହେବ।

ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନସ୍ଥ ସ୍ୱତନ୍ତ୍ର ଛାତ୍ରାବାସରେ ରହୁଥିବା ଏହି ବର୍ଗର ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ମାସିକ ସ୍କଲାରସିପ୍ ୧୦୦ଟଙ୍କା ବୃଦ୍ଧି କରାଯାଇଛି। ଏଣିକି ଝିଅମାନଙ୍କୁ ମାସିକ ୧୧୦୦ଟଙ୍କା ଓ ପୁଅଙ୍କୁ ୧୦୫୦ଟଙ୍କାର ସ୍କଲାରସିପ୍ ୧୦ମାସ ପର୍ଯ୍ୟନ୍ତ ମିଳିବ। ସେହିପରି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନରେ ଥିବା ଶିକ୍ଷାନୁଷ୍ଠାନରେ ପଢ଼ୁଥିବା ଡେ-ସ୍କଲାର ଛାତ୍ରଛାତ୍ର (ଷଷ୍ଠ ଓ ସପ୍ତମ ଶ୍ରେଣୀ)ଙ୍କୁ ବାର୍ଷିକ ୫୦୦ ଟଙ୍କା ସ୍କଲାରସିପ୍ ମିଳିବ। ପୂର୍ବରୁ ଛାତ୍ର ୧୮୦ଟଙ୍କା ଓ ଛାତ୍ରୀ ୨୪୦ଟଙ୍କା ପାଉଥିଲେ। ମାତ୍ର ସଂଶୋଧିତ ନିଷ୍ପତ୍ତି ଅନୁସାରେ ଉଭୟ ୫୦୦ଟଙ୍କା ଲେଖାଏଁ ଷ୍ଟାଇପେଣ୍ଡ ପାଇବେ। ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ମାସିକ ୫୦୦ଟଙ୍କା ଷ୍ଟାଇପେଣ୍ଡ ମିଳିବ।

ସେହିପରି ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଶିକ୍ଷାନୁଷ୍ଠାନର ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ (ହଷ୍ଟେଲରେ ରହୁଥିବା)ଙ୍କ ସ୍କଲାରସିପ୍ ପରିମାଣରେ ୧୦୦ଟଙ୍କା ବୃଦ୍ଧି ହୋଇଛି। ହଷ୍ଟେଲରେ ରହୁଥିବା ଛାତ୍ରମାନେ ୧୦୫୦ଟଙ୍କା ଓ ଛାତ୍ରୀ ୧୧୦୦ଟଙ୍କା ପ୍ରତିମାସରେ ପାଇବେ। ୧୦ମାସ ପର୍ଯ୍ୟନ୍ତ ସେମାନଙ୍କୁ ଏହି ରାଶି ମିଳିବ।

ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସ୍କୁଲଗୁଡ଼ିକରେ ପଢ଼ୁଥିବା ଷଷ୍ଠ,ସପ୍ତମ ଓ ଅଷ୍ଟମ ଶ୍ରେଣୀର ଅନୁସୂଚିତ ଜାତି ଓ ଜନଜାତି ବର୍ଗର ପିଲାଙ୍କୁ ବାର୍ଷିକ ସ୍କଲାରସିପ୍ ୫୦୦ଟଙ୍କା ଲେଖାଏଁ ମିଳିବ।ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ସକାଳ ଜଳଖିଆରେ ମାଣ୍ଡିଆ ଦେବାକୁ ପରାମର୍ଶ ଦିଆଯାଇଛି। ଏହାସହିତ ହଷ୍ଟେଲରେ ରହୁଥିବା ଝିଅଙ୍କୁ ପକେଟ୍ ମନି ( ସାନିଟାରୀ ନାପକିନ୍ ବାବଦରେ) ପାଇଁ ୫୦ଟଙ୍କା ମିଳିବ। ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନାରେ ଏହି ଷ୍ଟାଇପେଣ୍ଡ ଅର୍ଥ ବୃଦ୍ଧି କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button