ରାଜ୍ୟ ବାହାରେ ୯୧,୫୦୦ ଓଡ଼ିଆଙ୍କୁ ମିଳିବ ମାଗଣାରେ ଜଟିଳ ରୋଗର ଚିକିତ୍ସା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ସୁସ୍ଥ ଓଡିଶା-ସୁଖୀ ଓଡ଼ିଶା ଆହ୍ଵାନ ସାକାର ଦିଗରେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ( ବିଏସ୍ କେୱାଇ) ଦ୍ରୁତ ଅଗ୍ରଗତି କରିଛି। ଉଭୟ ଜନସାଧାରଣ ଏବଂ ଘରୋଇ ହସ୍ପିଟାଲ୍‌ମାନେ ଅଧିକରୁ ଅଧିକ ସଂଖ୍ୟାରେ ଏଥରେ ସାମିଲ ହୋଇଛନ୍ତି। ଚଳିତ ବର୍ଷ ଅକ୍ଟୋବର ଶେଷ ସୁଦ୍ଧା ଯୋଜନାରେ ସାମିଲ ହୋଇଥିବା ଘରୋଇ ସୁପରସ୍ପେସାଲିଟି ବିଶ୍ୱସ୍ତରୀୟ ହସ୍ପିଟାଲ୍ ସଂଖ୍ୟା ୭୬୫କୁ ବୃଦ୍ଧି ପାଇଛି। ଇତି ମଧ୍ୟରେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ଶାଳିନୀ ପଣ୍ଡିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ସ୍ୱାସ୍ଥ୍ୟସେବା ପ୍ରତିଶ୍ରୁତି ସମିତି ସମୀକ୍ଷା ବୈଠକରୁ ଏହା ଜଣାପଡିଛି। ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ରାଜ୍ୟ ବାହାରେ ୯୧,୫୦୦ ଓଡ଼ିଆ ଲୋକଙ୍କୁ ମାଗଣାରେ ଜଟିଳ ରୋଗର ଅତ୍ୟାଧୁନିକ ଚିକିତ୍ସା ସୁବିଧା ମିଳିପାରିଛି।

ଗୁଣାତ୍ମକ ସ୍ଵାସ୍ଥ୍ୟସେବା ନିଶ୍ଚିନ୍ତ କରାଇବା ଦିଗରେ ସମିତିର ବିଭିନ୍ନ କାର୍ଯ୍ୟ ଅଗ୍ରଗତି ସମୀକ୍ଷା କରି ରାଜ୍ୟ ସରକାରଙ୍କ ସହ ସହଭାଗିତାରେ ଅନୁବନ୍ଧିତ ଘରୋଇ ହସ୍ପିଟାଲ୍‌ମାନଙ୍କରେ ଉପଲବ୍ଧ ରୋଗୀ-କେନ୍ଦ୍ରିକ ସେବା ଯୋଗାଣ ଉପରେ ନିୟମିତ ନଜର ରଖିବା ସହ ଚିକିତ୍ସା ବାବଦରେ ସେମାନେ ଅନ୍‌ଲାଇନରେ ଦାଖଲ କରିଥିବା ବିଲ ଗୁଡିକର ସମୟାନୁବନ୍ଧିତ ପଇଠ ନିଶ୍ଚିତ କରାଇବା ପାଇଁ ଶ୍ରୀମତୀ ପଣ୍ଡିତ ସମିତିର ନୋଡାଲ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ପ୍ରାପ୍ତ ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଆନ୍ଧ୍ରପ୍ରଦେଶ, ଆସାମ, ତେଲେଙ୍ଗାନା, କର୍ଣ୍ଣାଟକ, ଦିଲ୍ଲୀ, ଗୁଜୁରାଟ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଛତିଶଗଡ, ଝାଡଖଣ୍ଡ, ପଞ୍ଜାବ, ହରିୟାନା, ରାଜସ୍ଥାନ, ତାମିଲନାଡୁ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଆଦି ୧୯ଟି ରାଜ୍ୟସ୍ଥିତ ପ୍ରମୁଖ ସହରମାନଙ୍କରେ ଅବସ୍ଥିତ ୧୧୫ଟି ସୁପର ସ୍ପେସାଲିଟି ବିଶ୍ୱସ୍ତରୀୟ ହସ୍ପିଟାଲ୍ ବିଏସ୍ କେୱାଇରେ ସାମିଲ ହୋଇଛନ୍ତି। ଏହି ସବୁ ରାଜ୍ୟରେ ବିଭିନ୍ନ କାରଣରୁ ଅସ୍ଥାୟୀଭାବେ ରହୁଥିବା ଓଡ଼ିଆ ଲୋକମାନେ ମାଗଣାରେ ଉଚ୍ଛମାନର ଚିକିତ୍ସା ସୁବିଧା ପାଇପାରୁଛନ୍ତି।

ଭେଲୋରର ଖ୍ରୀଷ୍ଟିଆନ୍ ମେଡିକାଲ୍ କଲେଜ, ବେଙ୍ଗାଲୁରୁର ଶ୍ରୀ ଶଙ୍କରା କ୍ୟାନସର ପ୍ରତିଷ୍ଠାନ, କୋଲକାତାର ଟାଟା ମେଡିକାଲ୍ ସେଣ୍ଟର, ଭାଇଜାକ୍ ଓ ସାନାଗୁରର ହୋମିବାବା କ୍ୟାନସର ହସ୍ପିଟାଲ୍, ମହାମାନ୍ୟ ପଣ୍ଡିତ ମଦନ ମୋହନ ମାଲବ୍ୟ କ୍ୟାନସର ହସ୍ପିଟାଲ୍, ମୁମ୍ବାଇର ଆଡଭାନ୍ସ କ୍ୟାନସର ଚିକିତ୍ସା ଓ ଗବେଷଣା ପ୍ରତିଷ୍ଠାନ, ଟାଟା ମେମୋରିଆଲ ହସ୍ପିଟାଲ ଆଦି ବିଶ୍ବସ୍ତରୀୟ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନମାନେ ବିଏସ୍ କେୱାଇରେ ସାମିଲ ହୋଇଛନ୍ତି। ଏହାଛଡା ଚେନ୍ନାଇ, ଡେହେରାଡୁନ୍, ବାଶି, ବେଙ୍ଗାଲୁରୁ, ମୁମ୍ବାଇ, କଲିକତା, ଅମ୍ରିତସର, ଫରିଦାବାଦ, ଗୁରଗାଓଁ, ଜୟପୁର, ନୋଇଡ଼ା, ଲୁଧ୍ୟାନା, ନୂଆଦିଲ୍ଲୀ, ଆଦି ସ୍ଥାନରେ ଥିବା ଫୋର୍ଟିସ୍ ଗୃପର ୨୪ଟି ହସ୍ପିଟାଲ ଏବଂ ନାରାୟଣ ହୃଦୟାଳୟର ୭ଟି ବିଶ୍ବସ୍ତରୀୟ ହସ୍ପିଟାଲ୍‌ ମଧ୍ୟ ବିଏସ୍ କେୱାଇ ସହ ସହଭାଗିତା ସୂତ୍ରରେ ସଂଯୁକ୍ତ ହୋଇଛନ୍ତି।

ସେହିପରି ବିଶାଖାପାଟଣା, ରାୟପୁର, ଜାମସେଦପୁର, ସୁରଟ, ଶ୍ରୀକାକୁଲମ, ମଦୁରାଇ, ହାଇଦ୍ରାବାଦ, ରାଇଘର, ଦ୍ବାରକାନଗର, ବିଜୟନଗରମ ଆଦି ସହରର ପ୍ରମୁଖ ସୁପର ସ୍ପେସାଲିଟି ହସ୍ପିଟାଲମାନେ ମଧ୍ୟ ଏହି ଯୋଜନାରେ ସାମିଲ ହୋଇଛନ୍ତି। ଚଳିତ ବର୍ଷ ଜାନୁଆରିରୁ ଅକ୍ଟୋବର ମାସ ମଧ୍ୟରେ ରାଜ୍ୟ ବାହାର ହସ୍ପିଟାଲମାନଙ୍କରେ ପ୍ରାୟ ୯୧,୫୦୦ ଓଡ଼ିଆ ଲୋକମାନେ ମାଗଣାରେ ଜଟିଳ ରୋଗର ଅତ୍ୟାଧୁନିକ ଚିକିତ୍ସା ପାଇଛନ୍ତି। ଅନୁବନ୍ଧିତ ହସ୍ପିଟାଲମାନଙ୍କ ବିଷୟରେ ଆବଶ୍ୟକୀୟ ସୂଚନା ଜନସାଧାରଣଙ୍କ ଅବଗତି ନିମନ୍ତେ ବିଏସ୍‌ୱାଇ ଓଡ଼ିଶା ୱେବ୍‌ସାଇଟ୍‌ରେ ଦିଆଯାଇଛି।

Leave a Reply

Your email address will not be published. Required fields are marked *

Back to top button