ଅନୈତିକ ସମ୍ପର୍କକୁ ନେଇ ଯୁବକଙ୍କୁ ପିଟିପିଟି ହତ୍ୟା

ବାରିପଦା : ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା କେନ୍ଦୁଛାଟିଆ ଗାଁରେ ହତ୍ୟାକାଣ୍ଡ। ଅନୈତିକ ସମ୍ପର୍କକୁ ନେଇ ସୁନାରାମ ଟୁଡୁଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଏହି ଘଟଣାରେ ଜାସାୟ ଟୁଡୁ ଓ ପୁଅ ବାପୁନକୁ ଅଟକ ରଖିଥିବା ଜଣାପଡିଛି।
ଖବର ଅନୁଯାୟୀ କେନ୍ଦୁଛାଟିଆ ଗାଁରେ ଗତକାଲି ଜାହୀରା ପୂଜା ଚାଲିଥିବ ବେଳେ ମହିଳାମାନେ ପାରମ୍ପରିକ ନୃତ୍ୟ କରୁଥିଲେ। ଏଥିରେ ଅନ୍ୟ ମହିଳାଙ୍କ ସହିତ ଜାସାୟଙ୍କ ସ୍ତ୍ରୀ ନୃତ୍ୟ କରୁଥିଲେ। କିନ୍ତୁ ହଠାତ୍ ସେ କୁଆଡେ ଚାଲିଯାଇଥିଲେ। ପରିବାର ଲୋକେ ଓ ଗ୍ରାମବାସୀ ଖୋଜାଖୋଜି କରିବାରୁ ଉକ୍ତ ମହିଳା ଓ ସୁନାରାମଙ୍କୁ଼ ଏକ ନିଛାଟିଆ ଘରେ ଦେଖିବାକୁ ମିଳିଥିଲା। ଗ୍ରାମବାସୀ ଜାସାୟଙ୍କ ଠାରୁ ଖବର ପାଇ ଜାସାୟ ଓ ତାଙ୍କ ପୁଅ ସେଠାରେ ପହଞ୍ଚିଥିଲେ। ବାପ-ପୁଅ ମିଶି ସୁନାରାମଙ୍କୁ ଗଛରେ ବାନ୍ଧି ନିସ୍ତୁକ ପିଟିବାରୁ ତ’ର ମୃତ୍ୟୁ ଘଟିଥିଲା। ପରେ ଗ୍ରାମବାସୀ ବାପାପୁଅଙ୍କୁ ଗଛରେ ବାନ୍ଧି ପୋଲିସକୁ ଖବର ଦେଇଥିଲେ। ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି। ପୁଲିସ ବାପପୁଅକୁ ଅଟକ ରଖି ପଚରାଉଚରା କରୁଛି।