ସର୍ଟ ସ୍କର୍ଟ କିମ୍ବା ଉତ୍ତେଜକ ନୃତ୍ୟ ଅଶାଳୀନତା ବୋଲି ପୋଲିସ ନିର୍ଦ୍ଧାରଣ କରିପାରିବନି : ବମ୍ବେ ହାଇକୋର୍ଟ

ନାଗପୁର : ମହିଳାମାନେ ସର୍ଟ ସ୍କର୍ଟ ପିନ୍ଧି ଉତ୍ତେଜକ ନୃତ୍ୟ ପରିବେଷଣ କରୁଛନ୍ତି କିମ୍ବା ନୃତ୍ୟ ଅଶାଳୀନତାକୁ ଇଙ୍ଗିତ କରୁଛି। ପୋଲିସର ଏପରି ମନ୍ତବ୍ୟକୁ ବିଚାରକୁ ନିଆଯାଇ ପାରିବନି ବୋଲି ବମ୍ବେ ହାଇକୋର୍ଟ ରାୟ ଶୁଣାଇଛନ୍ତି।

ଖବର ଅନୁଯାୟୀ ଅଭିଯୋଗ ଅନୁସାରେ ଏକ କାର୍ଯ୍ୟକ୍ରମରେ ୬ ଜଣ ମହିଳା ଛୋଟ ପୋଷାକ ପିନ୍ଧି ନୃତ୍ୟ କରିବା ସହିତ ଅଶ୍ଳୀଳ ଇଙ୍ଗିତ କରୁଥିବା ଅଙ୍ଗଭଙ୍ଗୀ ପରିବେଷଣ କରିଥିଲେ। କିଛି ଦର୍ଶକ ସେମାନଙ୍କ ଉପରକୁ ଫିଙ୍ଗିଥିଲେ ଜାଲ୍ ନୋଟ୍। ପୋଲିସ ସେଠାରୁମଦ ବୋତର ଜବତ କରି କିଛି ଲୋକଙ୍କୁ ଗିରଫ କରିଥିଲା। ସେମାନେ ଏହାକୁ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଶୁଣାଣି ବେଳେ ଅଭିଯୁକ୍ତମାନେ ଅଦାଲତକୁ କହିଥିଲେ ସେମାନେ ଆଇପିସି ଧାରା ୨୯୪ (ଅଶ୍ଳୀଳତା)ର ଉଲ୍ଲଙ୍ଘନ କରିନାହାନ୍ତି। କାରଣ ସେମାନେ ଏକ ରିସର୍ଟରେ ଭୋଜିଭାତ ସମୟରେ ଏପରି ନୃତ୍ୟ ପରିବେଷଣର ମଜା ନେଇଛନ୍ତି। କୌଣସି ସର୍ବସାଧାରଣ ସ୍ଥାନରେ କିମ୍ବା ସାଧାରଣ ଲୋକଙ୍କୁ ଖରାପ ଲାଗିବା ଭଳି କାର୍ଯ୍ୟ କରିନାହାନ୍ତି। ଏହି ଘଟଣାରେ ଅନ୍ୟ କେହି ଥାନାରେ ଏତଲା ଦେଇନାହାନ୍ତି। କିନ୍ତୁ ପୋଲିସ ନିଜ ଆଡୁ ଅଭିଯୋଗ କରି ଆମକୁ ଗିରଫ କରିଛି।

ଆବେଦନକାରୀଙ୍କ ଯୁକ୍ତି ଶୁଣିବା ପରେ ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚର ବିଚାରପତି ବିନୟ ଯୋଶୀ ଓ ବାଲ୍ମିକୀ ଏସଏ ମେନେଜସ ପୋଲିସର ଗିରଫଦାରୀକୁ ରଦ୍ଦ କରିଦେଇଛନ୍ତି। କୋର୍ଟ କହିଛନ୍ତି ବର୍ତ୍ତମାନ ମହିଳାଙ୍କ ସ୍ୱିମ୍ (ଗାଧୁଆ) ପୋଷାକ କିମ୍ବା ଛୋଟ ପୋଷାକ ପରିଧାନକୁ ଭାରତୀୟ ସମାଜ ଗ୍ରହଣ କରୁଛି। ସେନ୍ସର୍ ବୋର୍ଡର ଅନୁମତି କ୍ରମେ ଚଳଚ୍ଚିତ୍ରରେ ଛୋଟ ପୋଷାକ ପରିଧାନରେ ଫିଲ୍ମ ରିଲିଜ୍ ହେଉଛି। ସର୍ବସାଧାରଣରେ ଛୋଟ ପୋଷାକ ପରିଧାନକୁ ଗ୍ରହଣ ମଧ୍ୟ କରାଯାଉଛି। ଉକ୍ତ ମାମଲାରେ କୌଣସି ସର୍ବସାଧାରଣଙ୍କ ପକ୍ଷରୁ ଅଶାଳୀନ ଇଙ୍ଗିତ ନେଇ ଅଭିଯୋଗ କରାଯାଇ ନାହିଁ। ପୋଲିସର ଦୃଷ୍ଟିଭଙ୍ଗୀ ଅନୁସାରେ ଅଭିଯୁକ୍ତମାନଙ୍କୁ ଭାରତୀୟ ଦଣ୍ଡ ସଂହିତା ଧାରା ୨୯୪ (ଅଶ୍ଳୀଳତା) ଅନୁସାରେ ଦଣ୍ଡ ଦିଆଯିବ ନାହିଁ। ତେଣୁ ଏହି ମାମଲାକୁ ଖାରଜ କରାଯାଉଛି।

Leave a Reply

Your email address will not be published. Required fields are marked *

Back to top button