ଡିସେମ୍ବରରୁ ଶସ୍ତା ହେବ ଖାଇବା ତେଲ

ନୂଆଦିଲ୍ଲୀ : ଡିସେମ୍ବର ପର୍ଯ୍ୟନ୍ତ ଖାଇବା ତେଲ ଦାମ୍‌ ନିୟନ୍ତ୍ରଣକୁ ଆସିବ ନାହିଁ। ନୂଆ ଫସଲ ଅମଳ ହେବା ପରେ ସ୍ଥିତିରେ ସୁଧାର ହେବ ବୋଲି ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେ କହିଛନ୍ତି।

ଗତ ବର୍ଷକ ଭିତରେ ଭାରତରେ ଖାଇବା ତେଲ ମୂଲ୍ୟରେ ୬୪% ବୃଦ୍ଧି ହୋଇଛି। ସାଧାରଣ ଜନତାଙ୍କୁ ମୂଲ୍ୟ ବାଧୁଛି। ଯେହେତୁ ଭାରତ ଖାଇବା ତେଲର ୬୦% ଆବଶ୍ୟକତା ଆମଦାନି ଜରିଆରେ ପୂରଣ କରୁଥବାରୁ ଆନ୍ତର୍ଜାତିକ ବଜାରରେ ଦାମ୍ ହ୍ରାସ ନହେବା ପର୍ଯ୍ୟନ୍ତ ତେଲ ଶସ୍ତା ହେବ ନାହିଁ। କିଛି ଦିନ ହେଲାଣି ଆନ୍ତର୍ଜାତିକ ବଜାରରେ ଖାଇବା ତେଲ ଦାମ୍ କମୁଛି। ଏହି ଧାରା ବଜାୟ ରହିଲେ ଡିସେମ୍ବର ଆଡ଼କୁ ଦାମ୍ ହ୍ରାସ ପାଇବ ବୋଲି ଶ୍ରୀ ପାଣ୍ଡେ କହିଛନ୍ତି। କିନ୍ତୁ ସେ ସ୍ପଷ୍ଟ କରିଛନ୍ତି ନାଟକୀୟ ଢଙ୍ଗରେ କୌଣସି ବଡ଼ ଧରଣର ହ୍ରାସ ହେବ ନାହିଁ।

ଖାଇବା ତେଲ ମହଙ୍ଗା ହେବା ପଛର କାରଣ ସମ୍ପର୍କରେ ସେ କହିଛନ୍ତି ଯେ ବିଭିନ୍ନ ଦେଶରେ ବାୟୋ ଫୁଏଲ୍‌ ପ୍ରସ୍ତୁତ କରିବା ଉପରେ ଅଧିକ ଧ୍ୟାନ ଦିଆଯାଉଛି। ତେଣୁ ସେଠାରେ ଅଧିକାଂଶ ସମ୍ବଳକୁ ସେହି ଅର୍ଥରେ ବିନିଯୋଗ କରାଯାଉଛି। ଯେଉଁ ଉପାଦାନରୁ ଖାଇବା ତେଲ ତିଆରି ହେଉଛି ତାହାର କିଛି ଅଂଶ ବାୟୋ ଫୁଏଲ୍‌ ପାଇଁ ବ୍ୟବହାର କରାଯାଉଛି। ସେଥିପାଇଁ ବଜାରରେ ଖାଇବା ତେଲ ଉପଲବ୍ଧତା ହ୍ରାସ ପାଇଛି। କିନ୍ତୁ ଚାହିଦା‌େ‌ର ବୃଦ୍ଧି ଘଟିଥିବାରୁ ତେଳ ରପ୍ତାନି କରୁଥିବା ଦେଶଗୁଡ଼ିକ ଦାମ୍ ବଢ଼ାଇବାକୁ ବାଧ୍ୟ ହୋଇଛନ୍ତି। ଭାରତରେ ଲୋକମାନେ ପାମ୍ ଅଏଲ୍‌ ଓ ସୋୟାବିନ୍‌ ଅଏଲ୍‌କୁ ଅଧିକ ମାତ୍ରାରେ ବ୍ୟବହାର କରୁଛନ୍ତି। ଇଣ୍ଡୋନେସିଆ ଓ ମାଲେସିଆରୁ ଭାରତ ପାମ୍ ଅଏଲ୍‌ ଆମଦାନି କରିଥାଏ। ଏହି ଦୁଇ ଦେଶ ଏବେ ପାମ୍‌ ଅଏଲ୍‌କୁ ବାୟୋ ଫୁଏଲ୍‌ ପ୍ରସ୍ତୁତ କରିବାରେ ବ୍ୟବହାର କରୁଛନ୍ତି। ସେହିପରି, ଆମେରିକା ସରକାର ସୋୟାବିନ୍‌କୁ ବାୟୋ ଫୁଏଲ୍‌ ପାଇଁ ବ୍ୟବହାର କରୁଛନ୍ତି। ଯେହେତୁ ଭାରତ ଏହାର ଖାଇବା ତେଲ ଆବଶ୍ୟକତାର ୩୦ ପ୍ରତିଶତ ପାମ୍ ଅଏଲ୍‌ ଓ ୨୨ ପ୍ରତିଶତ ସୋୟାବିନ୍ ଅଏଲ୍ ଆମଦାନି ଜରିଆରେ ପୂରଣ କରୁଛି, ତେଣୁ ଏହି ଦୁଇ ତେଲର ଦାମ୍ ଆନ୍ତର୍ଜାତିକ ବଜାରରେ ବୃଦ୍ଧି ପାଇବା ଭାରତ ପାଇଁ ସମସ୍ୟା ସୃଷ୍ଟି କରିଛି। ଗୋଟିଏ ପଟେ ବଜାରରେ ଚାହିଦା ତୁଳନାରେ ଯୋଗାଣ କମ୍ ଥିବା ବେଳେ ଅନ୍ୟ ପଯେ ଚୀନ୍‌ ବିପୁଳ ମାତ୍ରାର ତେଲ କିଣିନେଉଛି। ଗତ ସପ୍ତାହରେ ଆନ୍ତର୍ଜାତିକ ବଜାରରେ ସୋୟାବିନ୍ ଅଏଲ୍‌ ଦାମ୍ ୨୨ ପ୍ରତିଶତ ଓ ପାମ୍ ଅଏଲ୍‌ ଦାମ୍ ୧୮ ପ୍ରତିଶତ ବଢ଼ିଛି।

Leave a Reply

Your email address will not be published. Required fields are marked *

Back to top button