ଓଡ଼ିଶାରେ ୧୯ ପରେ ବର୍ଷା : ୯ ପୂର୍ବରୁ କେରଳ ଛୁଇଁବନି ମୌସୁମୀ

ଭୁବନେଶ୍ଵର : ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରାୟ ପ୍ରତ୍ୟେକ ଦିନ ତାଣ୍ଡବ ରଚୁଛି କାଳବୈଶାଖୀ ଲୋକେ ମୌସୁମୀକୁ ଚାତକ ଭଳି ଚାହିଁଛନ୍ତି। ହେଲେ ଜୁନ୍ ୯ ପୂର୍ବରୁ ମୌସୁମୀ କେରଳ ଛୁଇଁବାର ସମ୍ଭାବନା ନାହିଁ ବୋଲି ପାଣିପାଗ ବିଜ୍ଞାନୀମାନେ ପୂର୍ବାନୁମାନ କରିଛନ୍ତି।
ଖବର ଅନୁଯାୟୀ ପୂର୍ବ କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପ ସାଗରରେ ସୃଷ୍ଟ ବାତ୍ୟା ‘ବିପର୍ଯ୍ୟୟ’ ଉତ୍ତର ଦିଗରେ ଗତିକରି ମୌସୁମୀର ଗତିପଥକୁ ଶୀଥିଳ କରିଛି। ବାତ୍ୟା ଧୀରେଧୀରେ ଉତ୍ତର ଦିଗରେ ଗତିକରି ଆହୁରି ଘନୀଭୂତ ହୋଇ ଭୀଷଣ ରୂପ ନେବାର ସମ୍ଭାବନା ରହିଛି। ଏହା କେରଳ ଉପକୂଳରେ ମେଘ ସଂଗଠିତ ହେବାରେ ବାଧକ ସାଜିଛି। ଫଳରେ ମୌସୁମୀ କେରଳ ଛୁଇଁବାକୁ ଆହୁରି ୩ ଦିନ ବିଳମ୍ବ ହେବ। ସେହିପରି ଓଡ଼ିଶାକୁ ୧୯ ତାରିଖ ପୂର୍ବରୁ ମୌସୁମୀ ଆସିବା ସମ୍ଭାବନା କମ୍। ତେଣୁ ବିଳମ୍ବିତ ମୌସୁମୀ ଓ ନିଅଣ୍ଟିଆ ବର୍ଷା ଚାଷୀକୂଳର ଚିନ୍ତା ବଢ଼ାଇବ ବୋଲି ଅନୁମାନ କରାଯାଉଛି।
ଭାରତୀୟ ପାଣିପାଗ ବିଭାଗ କହିଛି ଦକ୍ଷିଣ-ପୂର୍ବ ଆରବ ସାଗର ଅଞ୍ଚଳରେ ସୃଷ୍ଟ ଲଘୁଚାପ ଉତ୍ତର-ଉତ୍ତରପଶ୍ଚିମ ଦିଗରେ କରି ଆଜି ସକାଳେ ଏକ ଅବପାତ ଓ ଆହୁରି ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେଇଛି। ସାମୁଦ୍ରିକ ଝଡ଼ ‘ବିପର୍ଯ୍ୟୟ’ରେ ପରିଣତ ହୋଇଥିବା ଏହି ବାତ୍ୟା ମୌସୁମୀର ଗତିପଥରେ ବାଧକ ସାଜିବ। ମୌସୁମୀ ମନ୍ଥର ଗତିରେ ଅଗ୍ରସର ହେଲେ ମଧ୍ୟ କେରଳ ପ୍ରବେଶ କଲା ବେଳକୁ ଏହା ଦୁର୍ବଳ ରହିବ ବୋଲି ଅନୁମାନ କରାଯାଉଛି।
ପାଣିପାଗ ବିଶେଷଜ୍ଞ କହିଛନ୍ତି ବଙ୍ଗୋପ ସାଗରର ପୂର୍ବ ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ (ମିଆଁମାର୍, ଥାଇଲାଣ୍ଡ୍, ବାଂଲାଦେଶ ଓ ଉତ୍ତର-ପୂର୍ବ ଭାରତ) ଜୁନ୍ ତୃତୀୟ ସପ୍ତାହରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଓଡ଼ିଶାରେ ରଜ ସମୟରେ ବିକ୍ଷିପ୍ତ ହାଲୁକା ବର୍ଷା ଓ ରଜ ପରେ ଉପକୂଳ ଅଞ୍ଚଳରେ, ବିଶେଷ କରି ଉତ୍ତର ଉପକୂଳରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏହି ସମୟରେ କୌଣସି ଲଘୁଚାପ ବଙ୍ଗୋପସାଗରରେ ସୃଷ୍ଟି ନ ହେଲେ,ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟକୁ ମୌସୁମୀ ଛୁଇଁବା ସମ୍ଭାବନା କମ୍ ରହିଛି।