ଠିକରେ ନରାନ୍ଧିଲେ କର୍କଟର କାରଣ ହେବ ଭାତ

ଭୁବନେଶ୍ୱର : ଚାଉଳକୁ ଠିକ ଭାବେ ରନ୍ଧା ନହେଲେ ତାହା କର୍କଟ ରୋଗର କାରଣ ହୋଇପାରେ। ଏହି ଆଶଙ୍କା କେବଳ ରାସାୟନିକ ସାର ଓ କୀଟନାଶକ ପ୍ରୟୋଗ କରାଯାଇଥିବା ଧାନଚାଷ କ୍ଷେତ୍ରରେ ସୀମୀତ। ଜୈବିକ ପଦ୍ଧତିରେ ଧାନଚାଷ ହେଉଥିଲେ ଏପରି ଆଶଙ୍କା ନାହିଁ।

ଇଂଲଣ୍ଡର ବେଲଫାଷ୍ଟ କୁଇନ୍ସ ବିଶ୍ୱବିଦ୍ୟାଳୟର ଏକ ଅନୁଧ୍ୟାନରୁ ଜଣାପଡ଼ିଛି ଭାତ ଖାଉଥିବା ଲୋକଙ୍କ ଦେହରେ କର୍କଟ ରୋଗ ସୃଷ୍ଟି ହେବାର ଆଶଙ୍କା ଅଧିକ। ଏହାର କାରଣ ଧାନରେ ଥିବା ଆର୍ସେନିକ ଅଂଶ। ଆମେରିକାର କାଲିଫର୍ଣ୍ଣିଆରେ ହୋଇଥିବା ଅନ୍ୟ ଏକ ଅନୁଧ୍ୟାନ ରିପୋର୍ଟରେ ଉଲ୍ଲେଖ ଅଛି ଭାତ ଖାଉଥିବା ମହିଳାଙ୍କଠାରେ ସ୍ତନ ଓ ଅନ୍ୟ ପ୍ରକାର କର୍କଟର ଆଶଙ୍କା ଅଧିକ। ଏହାର କାରଣ ଭାତ ଜରିଆରେ ଦେହକୁ ଯାଉଥିବା ଆର୍ସେନିକ ବା ଅମ୍ଳ ଅଂଶ।

ଆଜିକାଲି ଚାଷୀମାନେ ଅଧିକ ଉତ୍ପାଦନ ପାଇଁ ଧାନଚାଷରେ ଅନେକ କିସମର ରାସାୟନିକ ସାର ଓ କୀଟନାଶକ ପ୍ରୟୋଗ କରୁଛନ୍ତି। ଏହାଦ୍ୱାରା ଉତ୍ପାଦନ ଅଧିକ ହେଉଥିଲେ ହେଁ ଧାନରେ ରାସାୟନିକ ସାର ଓ କୀଟନାଶକର ଅନେକ ଆର୍ସେନିକ ବା ଅମ୍ଳ ଅଂଶ ରହିଯାଉଛି। ସେଥିପାଇଁ ସାରା ବିଶ୍ୱରେ ଚାଉଳ ଏକ କାର୍ସିନୋଜେନିକ୍‌ ଖାଦ୍ୟ ବୋଲି ସାବିତ ହୋଇସାରିଛି। ସେହିପରି ଗହମ, ଡାଲି ଓ ପନିପରିବା ଚାଷରେ ସାର ଓ କୀଟନାଶକ ପ୍ରୟୋଗ ବଢ଼ିବଢ଼ି ଚାଲିଛି।

ଏବେ ସବୁ ପ୍ରକାର ଖାଦ୍ୟରେ ଅମ୍ଳ ଓ ରସାୟନ ମାତ୍ରା ଅଧିକ। ଏହା ଖାଦ୍ୟକୁ ଅସ୍ୱାସ୍ଥ୍ୟକର କରିଦେଇଥିବାରୁ ଏଥିରୁ ବର୍ତ୍ତିବା ପାଇଁ ଖାଦ୍ୟକୁ ଠିକ ଭାବେ ରାନ୍ଧିବା ଉଚିତ। ଚାଉଳକୁ ଠିକ ଭାବେ ରାନ୍ଧିବା ପାଇଁ ତିନି ପ୍ରକାର ଉପାୟ ରହିଛି। ପ୍ରଥମ – ଏକ ଭାଗ ଚାଉଳକୁ ଦୁଇ ଭାଗ ପାଣି ଦେଇ ରନ୍ଧାଯିବ ଓ ରନ୍ଧନ ପ୍ରକ୍ରିୟାରେ ପାଣିତକ ବାଷ୍ଫ ହୋଇଯିବ। ଯାହା ଫଳରେ ଚାଉଳରେ ଥିବା ଅମ୍ଳ ଅଂଶ ଅନେକ ପରିମାଣେ କମିଯିବ। ଦ୍ୱିତୀୟ – ଏକ ଭାଗ ଚାଉଳକୁ ପାଞ୍ଚ ଭାଗ ପାଣିରେ ଭଲ କରି ରନ୍ଧାଯିବ ଓ ବଳକା ପାଣି ବା ପେଜକୁ ବାହାର କରିଦିଆଯିବ। ଏ ଉପାୟରେ ଚାଉଳରେ ଥିବା ଅମ୍ଳ ଅଂଶର ପ୍ରାୟ ୫୦ ଭାଗ ପେଜରେ ବାହାରିଯିବ। ତୃତୀୟ – ଚାଉଳକୁ ରାତିରେ ପାଣିରେ ଭେଦେଇ ସକାଳେ ରନ୍ଧାଯିବ। ଏପରି କଲେ ଚାଉଳରେ ଥିବା ଅମ୍ଳ ଅଂଶର ପ୍ରାୟ ୮୦ ଭାଗ ନଷ୍ଟ ହୋଇଯାଏ। ତେବେ ଯେଉଁମାନଙ୍କ ପାଖରେ ଏତେ ସମୟ ନାହିଁ ସେମାନେ ଚାଉଳକୁ ପାଣିରେ ୩-୪ ଘଣ୍ଟା ପର୍ଯ୍ୟନ୍ତ ବତୁରେଇ ପରେ ରାନ୍ଧିଲେ ଅମ୍ଳ ଅଂଶ ଅନେକ ପରିମାଣରେ ହ୍ରାସ ପାଇଥାଏ।

Leave a Reply

Your email address will not be published. Required fields are marked *

Back to top button