ବାଲି ଚାଲାଣ : ପୂର୍ବତନ କଟକ ଜିଲ୍ଲାପାଳଙ୍କ ଦାଖଲ ସତ୍ୟପାଠକୁ ମିଥ୍ୟା କହିଲେ ହାଇକୋର୍ଟ

କଟକ : ଟକର ପୂର୍ବତନ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ବାଲି ପରିବହନ ନେଇ ଦାଖଲ କରିଥିବା ସତ୍ୟପାଠ ମିଥ୍ୟା। ତେଣୁ ତାଙ୍କ ପ୍ରତି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ ବୋଲି ହାଇକୋର୍ଟ କହିଛନ୍ତି।
ଖବର ଅନୁଯାୟୀ କଟକ ସହରର ବିଭିନ୍ନ ନଦୀ ପଠାରୁ ବେଆଇନ ବାଲି ଉଠାଣ ଓ ପରିବହନ କରାଯାଉଥିବା ନେଇ ପ୍ରଶାନ୍ତ କୁମାର ଜେନା ନାମକ ଜଣେ ସ୍ୱେଚ୍ଛାସେବୀ ହାଇକୋର୍ଟରେ ଏକ ପିଆଇଏଲ୍ ଦାଖଲ କରିଥିଲେ। ସେ ଅଭିଯୋଗ କରିଥିଲେ ଲିଜ୍ ଧାରୀଙ୍କ ପାଇଁ ପ୍ରଶାସନ ଲୋକଙ୍କ ସ୍ୱାର୍ଥକୁ ଆଖି ବୁଜି ଦେଇଛି। ଏହାକୁ ନେଇ ହାଇକୋର୍ଟ ଜିଲ୍ଲା ପ୍ରଶାସନଠାରୁ ସତ୍ୟପାଠ ମାଗିଥିଲେ। ଚଳିତ ବର୍ଷ ଜୁଲାଇ ୧୯ ତାରିଖରେ କଟକର ତତ୍କାଳୀନ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଥିଲା। ସେଥିରେ ସେ ଉଲ୍ଲେଖ କରିଥିଲେ ସରକାରୀ ନୀତିନିୟମ ଅନୁସାରେ ବାଲି ଉଠାଣ ଓ ପରିବହନ କରାଯାଉଛି। ବେଆଇନ ବାଲି ଚାଲାଣ କରୁଥିବା ଲିଜ୍ ଧାରୀଙ୍କଠାରୁ ଫାଇନ୍ ଆଦାୟ କରାଯାଇଛି।
ମାମଲାର ଶୁଣାଣୀ ସମୟରେ ହାଇକୋର୍ଟ ବାରର ଅନ୍ୟ ସଦସ୍ୟମାନେ କଟକ ସହରରେ ବେଆଇନ ବାଲି ଚାଲାଣ କରାଯାଉଥିବା ମତ ରଖିଥିଲେ।। କୋର୍ଟ ଏହାକୁ ବିଚାରକୁ ନେଇ ବାଲି ପରିବହନ ନେଇ ଭବାନୀଶଙ୍କର ଚୟନୀ ଦାଖଲ କରିଥିବା ସତ୍ୟପାଠ ମିଥ୍ୟା ବୋଲି ଦର୍ଶାଇଥିଲେ। ଏଭଳି ସତ୍ୟପାଠରେ ହାଇକୋର୍ଟ କ୍ଷୁବ୍ଧ ହେବା ସହ ତତ୍କାଳୀନ କଟକ ଜିଲ୍ଲାପାଳଙ୍କ ଏତାଦୃଶ ଦାୟିତ୍ୱହୀନ ଆଚରଣ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି। ଏଥିପାଇଁ ତାଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବା ଉଚିତ ବୋଲି ମତ ଦେଇଛନ୍ତି। କାର୍ଯ୍ୟାନୁଷ୍ଠାନ ଦ୍ୱାରା ଅନ୍ୟମାନେ ଚେତିବେ ବୋଲି ହାଇକୋର୍ଟ କହିଛନ୍ତି।