ବରୁଣଙ୍କୁ କଂଗ୍ରେସକୁ ନେବାକୁ ପ୍ରିୟଙ୍କାଙ୍କ ପ୍ରୟାସ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଦେଶରେ ଏକ ବଡ଼ ରାଜନୈତିକ ହଟଚମଟ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ବିଜେପି ନେତା ତଥା ଭାଇ ବରୁଣଙ୍କୁ ସାଙ୍ଗରେ ନେବାକୁ ଉଦ୍ୟମ ଚଳାଇଛନ୍ତି ଭଉଣୀ ପ୍ରିୟଙ୍କା। ଏହି ଖବର ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।

ଆଗକୁ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ। କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଭଦ୍ରାଙ୍କ ସକ୍ରିୟତା ରାଜ୍ୟରେ ବଢ଼ି ଚାଲିବା ବିଜେପି ପାଇଁ ଚିନ୍ତାର କାରଣ ହୋଇଛି। ଏହିଭଳି ସମୟରେ ରାହୁଲ ଗାନ୍ଧି ବିଜେପିକୁ ଟାର୍ଗେଟ କରୁଥିବା ବେଳେ ଇନ୍ଦିରା ଗାନ୍ଧି ପରିବାରର ସଦସ୍ୟ ତଥା ବିଜେପି ନେତା ବରୁଣ ଗାନ୍ଧି ଢଙ୍ଗରେ ନିଜ ଦଳ ପାର୍ଟିର ବିରୋଧରେ ମନ୍ତବ୍ୟ ଦେବାକୁ ପଛାଉ ନାହାନ୍ତି। ଖେତ ଓ ଚାଷୀଙ୍କ ପ୍ରସଙ୍ଗରେ ଲଗାତର କେନ୍ଦ୍ର ଓ ରାଜ୍ୟ ନେତୃତ୍ୱଙ୍କୁ ଟାର୍ଗେଟ୍ କରୁଛନ୍ତି। ଯାହାକୁ ନେଇ ପ୍ରକାଶ ପାଉଛି ଭିନ୍ନ ମତ। କୁହାଯାଉଛି ଦୀର୍ଘ ଦଶନ୍ଧି ପରେ ଗାନ୍ଧି ପରିବାର ପୁଣି ଏକାଠି ହେବାର ସମ୍ଭାବନା ସୃଷ୍ଟି ହୋଇଛି।

ସୋସିଆଲ ମିଡିଆ ଓ ଟେଲିଭିଜନ ଚାନେଲରେ ଏବେ ବରୁଣଙ୍କୁ କଂଗ୍ରେସ ନେତା ପ୍ରଶଂସା କରୁଛନ୍ତି। କିଛି ଦିନ ପୂର୍ବରୁ ଟେଲିଭିଜନ ଚର୍ଚ୍ଚାରେ ବିଜେପି ମୁଖପାତ୍ରଙ୍କ ଜବାବରେ କଂଗ୍ରେସ ମୁଖପାତ୍ର ପବନ ଖେଡା କହିଥିଲେ ବରୁଣଙ୍କର ବିବେକ ଅଛି ଯାହା ଦଳର ନେତାଙ୍କ ଠାରେ ନାହିଁ। ସେହିପରି ଅନ୍ୟଜଣେ କଂଗ୍ରେସ ମୁଖପାତ୍ର ଟ୍ୱିଟରରେ ବରୁଣ ଗାନ୍ଧିଙ୍କ ବକ୍ତବ୍ୟକୁ ଉଚ୍ଚ ପ୍ରଶଂସା କରିବା ସହ ବାସ୍ତବରେ ମୋଦି ଓ ଶାହଙ୍କୁ କୌଣସି ଗାନ୍ଧି ବରଦାସ୍ତ ନୁହନ୍ତି ବୋଲି ଉଲ୍ଲେଖ କରିଥିଲେ। ପ୍ରିୟଙ୍କା ଭଦ୍ରାଙ୍କ ପରାମର୍ଶଦାତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ ନିୟମିତ ବରୁଣଙ୍କର ପ୍ରଶଂସା କରିଚାଲିଥିବା ବେଳେ କଂଗ୍ରେସ ନେତାମାନେ ବରୁଣଙ୍କୁ ଫୋନ କରି ତାଙ୍କ ବିଚାର ଲାଗି ଧନ୍ୟବାଦ ଜଣାଉଛନ୍ତି। ଏବେ ଦେଖାଯାଉଛି କୃଷକ ପ୍ରସଙ୍ଗରେ ବରୁଣଙ୍କ ଲୋକପ୍ରିୟତା ବଢୁଥିବା ଲକ୍ଷ୍ୟ କରାଯାଉଛି। ଯଦି ପ୍ରକୃତରେ ଗାନ୍ଧି ପରିବାର ଏକାଠି ହୁଅନ୍ତି ତେବେ ବିଜେପି ପାଇଁ ନିଶ୍ଚିତ ଚିନ୍ତାର କାରଣ ହେବ।

ଅନ୍ୟପକ୍ଷରେ ରାଜନୈତିକ ମହାରାଥୀମାନେ ଗାନ୍ଧି ପରିବାରକୁ ଏକ କରିବାରେ ଲାଗିପଡିଥିବାର ସୂଚନା ମିଳୁଛି। ପ୍ରିୟଙ୍କା ଗାନ୍ଧି ମଧ୍ୟ ଅନେକ ଦିନରୁ ସାନଭାଇ ବରୁଣଙ୍କୁ ଘରକୁ ଫେରାଇବା ଅପେକ୍ଷାରେ ରହିଛନ୍ତି। ତାଙ୍କର ଇଚ୍ଛା ବରୁଣ ବିଜେପି ବିରୋଧରେ ବିରୋଧୀଙ୍କ ଆଧାରକୁ ମଜଭୁତ କରନ୍ତୁ। ବରୁଣ କେନ୍ଦ୍ର ଓ ୟୁପି ବିଜେପି ସରକାରଙ୍କ ବିରୋଧରେ ଲଗାତାର କଠୋର ହେବାରେ ଲାଗିଛନ୍ତି। ରାଜ୍ୟରେ ଆଖୁର ସହାୟକ ମୂଲ୍ୟ ଅନୁନ୍ୟ ୪୦୦ ଟଙ୍କା ବୃଦ୍ଧି ଲାଗି ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ପତ୍ର ଲେଖିବା ସହ ବରୁଣ ଚାଷୀଙ୍କ ପ୍ରତି ତାଙ୍କର ସମର୍ଥନ ଜଣାଇବାରୁ ଆଖୁ କ୍ୱିଣ୍ଟଲ ପିଛା ଦର ୨୫ ଟଙ୍କା ବୃଦ୍ଧି କରାଯାଇଥିଲା। ସେଥିପାଇଁ ବରୁଣ ଯୋଗୀଙ୍କୁ ପତ୍ର ଲେଖି ଧନ୍ୟବାଦ ଜଣାଇବା ସହିତ ଅତିରିକ୍ତ ୫୦ ଟଙ୍କା ବୋନସ ପ୍ରଦାନ ଲାଗି ନିବେଦନ କରିଥିଲେ। ଏହାଛଡା ଘଟଣାର ତାଜା ଭିଡିଓଟିକୁ ପ୍ରଥମେ ବରୁଣ ଗାନ୍ଧି ସୋସିଆଲ ମିଡିଆରେ ପୋଷ୍ଟ କରିବା ଯୋଗୁ ଲକ୍ଷ୍ମୀପୁର ଖେରି କାଣ୍ଡରେ ଗୃହରାଜ୍ୟମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅର ଖସିବା ରାସ୍ତା ବନ୍ଦ ହୋଇଯାଇଥିଲା।

ଭିଡିଓଟି ଆଶିଷଙ୍କ ସପକ୍ଷରେ ଶାସକ ଦଳର ମୁହଁ ବନ୍ଦ କରିବା ସହିତ ତାଙ୍କୁ ପୋଲିସରେ ହାଜର ହେବାକୁ ବାଧ୍ୟ କରିଥିଲା। ଏହାର କିଛିଦିନ ପରେ କୃଷକ ଆନ୍ଦୋଳନ ସମର୍ଥନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପୁରୁଣା ଭାଷଣର ଏକ ଭିଡିଓ କ୍ଲିପ୍‌ ବରୁଣ ପୋଷ୍ଟ କରିବା ବିଜେପି ଓ ମୋଦି ସରକାରଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଥିଲା। ସେଥିପାଇଁ ବରୁଣ ଓ ତାଙ୍କ ମା’ ମେନକା ଗାନ୍ଧୀଙ୍କୁ ଜାତୀୟ କାର୍ଯ୍ୟକାରିଣୀରୁ ବାଦ ଦେଇ ବିଜେପି ନିଜର ଜବାବ ରଖିଥିଲା। ଏଥିରେ ବରୁଣ ଓ ମେନକାଙ୍କ ସମ୍ମାନ ହାନୀ ହେବା ପରିବର୍ତ୍ତେ ଅନ୍ୟ ଦଳରେ ସେମାନଙ୍କର ସମ୍ମାନ ବଢିବାରେ ଲାଗିଛି। ବିଜେପିର ଏକ ସହଯୋଗୀ ଦଳର ନେତା ବରୁଣଙ୍କ ସହ କଥା ହୋଇ ତାଙ୍କୁ ଭେଟିବାର ଇଛା ପ୍ରକାଶ କରିଛନ୍ତି।

ଆହୁରି କୁହାଯାଉଛି ପଶ୍ଚିମବଙ୍ଗରେ ତୃଣମୂଳ ନେତ୍ରୀ ମମତା ବାନାର୍ଜୀ, ଉତ୍ତର ପ୍ରଦେଶରେ ସପା ନେତା ଅଖିଳେଶ ଯାଦବ, ମହାରାଷ୍ଟ୍ରରେ ଉଦ୍ଧବ ଠାକରେ ଓ ବିହାରରେ ଚିରାଗ ପାଶ୍ୱାନଙ୍କ ସମେତ ବିଭିନ୍ନ ଦଳର ନେତା ବରୁଣଙ୍କ କଡରେ ଛିଡା ହେବାରେ ଲାଗିଲେଣି। ତେଣୁ ସେ ଗାନ୍ଧି ପରିବାରକୁ ଫେରିଲେ ବୁଡି ଯାଉଥିବା କଂଗ୍ରେସ ପାଇଁ ସହାୟକ ହେବେ ବୋଲି ପ୍ରିୟଙ୍କା ଆକଳନ କରୁଛନ୍ତି।

Leave a Reply

Your email address will not be published. Required fields are marked *

Back to top button