ଯୁବକ ମୃତ୍ୟୁକୁ ନେଇ ବାଂଶପାଣି ଷ୍ଟେସନରେ ଭଙ୍ଗାରୁଜା

କେନ୍ଦୁଝର : ଆରପିଏଫ ଯବାନଙ୍କ ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ କେନ୍ଦୁଝର ଜିଲ୍ଲା ବାଂଶପାଣି ରେଳ ଷ୍ଟେସନରେ ତୁମୁଳ କାଣ୍ଡ ଘଟିଛି। ଉତ୍ତ୍ୟକ୍ତ ଲୋକେ ଷ୍ଟେସନରେ ବ୍ୟାପକ ଭଙ୍ଗାରୁଜା କରିଥିବା ବେଳେ ରେଲୱେ କର୍ମଚାରୀ ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ ହୋଇଛି।

ଖବର ଅନୁଯାୟୀ ଗତ ରାତିରେ ବାଂଶପାଣି ରେଳେଓ୍ୱ ସାଇଡିଂର ୨ ନମ୍ବର ପ୍ଲାଟଫର୍ମରୁ ଲକ୍ଷ୍ମଣ ପାତ୍ର ନାମକ ଯୁବକଙ୍କୁ ଆରପିଏଫ୍‌ ଯବାନ ବୋହି କରି ଆଣିଥିଲେ। ଘଟଣା ସମ୍ପର୍କରେ ଜାଣିବା ପାଇଁ ଗାଁ ଲୋକେ ସେଠାକୁ ଯାଇ ଦେଖିଥିଲେ ଲକ୍ଷ୍ମଣଙ୍କର ମୃତ୍ୟୁ ହୋଇଯାଇଛି। ଏହାପରେ ଖବର ପ୍ରଚାରିତ ହୋଇଥିଲା ଆରପିଏଫ୍‌ ଯବାନ ପିଟି ପିଟି ଲକ୍ଷ୍ମଣ ପାତ୍ରଙ୍କୁ ମାରି ଦେଇଛନ୍ତି। ଫଳରେ ସମଗ୍ର ଅଞ୍ଚଳରେ ଉତ୍ତେଜନା ଦେଖା ଯାଇଥିଲା। ଶହ ଶହ ଲୋକେ ଏକାଠି ହୋଇ ଷ୍ଟେସନରେ ପ୍ରବେଶ କରି ଭଙ୍ଗାରୁଜା କରିଥିଲେ। ସେମାନଙ୍କ ମାଡ଼ରେ ଷ୍ଟେସନ ମାଷ୍ଟର ଓ ଆରପିଏଫର ୩ ଜଣ ଯବାନ ଗୁରୁତର ଆହତ ହୋଇଥିବାରୁ ସମସ୍ତଙ୍କୁ ଯୋଡ଼ା ଟାଟା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି।

ଗଣ୍ଡଗୋଳ ଖବର ପାଇ ପୋଲିସ୍‌ ସେଠାରେ ପହଞ୍ଚିଥିଲେ ହେଁ ଷ୍ଟେସନ ଭିତରକୁ ଗାଁ ଲୋକ କାହାକୁ ଛାଡ଼ି ନ ଥିଲେ। ଶେଷରେ ବହୁ ବୁଝାସୁଝା କରିବା ପରେ କେବଳ ଆଇଆଇସିଙ୍କୁ ଛାଡ଼ିଥିଲେ। ଗଣ୍ଡଗୋଳ ପରେ ସେଠାରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଷ୍ଟେସନ ଚାରିପଟେ ଏବେ ଗୋଟିଏ ସେକ୍ସନ ଫୋର୍ସ ମୁତୟନ କରାଯାଇଛି। ଚକ୍ରଧରପୁର ଡିଭିଜନରୁ ବରିଷ୍ଠ ରେଲୱେ ଅଧିକାରୀ ଓ ପୋଲିସ୍‌ ବାଂଶପାଣିକୁ ଆସୁଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *

Back to top button