ବାତ୍ୟା ପୂର୍ବରୁ ଗୁଜରାଟରେ ଭୂମିକମ୍ପ

ନୂଆଦିଲ୍ଲୀ : ଆସନ୍ତାକାଲି ସନ୍ଧ୍ୟାରେ ଗୁଜରାଟର କଚ୍ଛରେ ସ୍ଥଳଭାଗ ଛୁଇଁବ ବାତ୍ୟା ବିପର୍ଯ୍ୟୟ। ଏହା ପୂର୍ବରୁ ଗୁଜରାଟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ଆରମ୍ଭ ହୋଇଯାଇଛି ପବନ। କିନ୍ତୁ ଏ ମଧ୍ୟରେ ଆଜି କଚ୍ଛରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୫ ରହିଛି।

ଗାନ୍ଧିନଗର ଇନଷ୍ଟିଚ୍ୟୁଟ ଅଫ ସେଇସମୋଲୋଜିକାଲ ରିସର୍ଚ୍ଚର ସୂଚନା ଅନୁଯାୟୀ ଭୂକମ୍ପର କେନ୍ଦ୍ରସ୍ଥଳ କଚ୍ଛ ଜିଲ୍ଲାର ଭାଚାଉ ଠାରୁ ୫ କିମି ଦୂରରେ ଅବସ୍ଥିତ। ବୁଧବର ଅପରାହ୍ନ ୫.୦୫ରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲେ ହେଁ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା କୁହାଯାଇଛି।

ଅନ୍ୟପକ୍ଷରେ ଅତି ଭୀଷଣ ବାତ୍ୟା ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ ସୌରାଷ୍ଟ୍ର, ଦ୍ୱାରକା ଓ କଚ୍ଛ ଉପକୂଳ ପାଇଁ ରେଡ ଆଲର୍ଟ ଜାରି କରିଛି। ଏଥିପାଇଁ ରାଜ୍ୟର ୮ଟି ଉପକୂଳବର୍ତ୍ତୀ ଜିଲ୍ଲାରୁ ପ୍ରାୟ ୫୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ସ୍ଥିତିର ମୁକାବିଲା ପାଇଁ କଚ୍ଛରେ ୪ଟି, ରାଜକୋଟରେ ୩ଟି, ଦେବଭୂମି ଦ୍ୱାରକାରେ ୩ଟି, ଜାମନଗରରେ ୨ଟି, ପୋରବନ୍ଦର, ଜୁନାଗଡ଼, ଗିର ସୋମନାଥ, ମୋର୍ବି, ଭାଲସାଦ ଓ ଗାନ୍ଧିଗନଗରରେ ଗୋଟିଏ ଲେଖାଏ ଏନଡିଆରଏଫ ଟିମକୁ ମୁତୟନ କରାଯାଇଛି।

ସେହିପରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତିନି ସେନା ବାହିନୀର ମୁଖ୍ୟମାନଙ୍କ ସହ କଥା ହୋଇ ସ୍ଥିତିର ସମୀକ୍ଷା କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ କଚ୍ଛ ଯାଇ ବିଭିନ୍ନ ହସ୍ପିଟାଲର ସ୍ଥିତି ପରଖିଛନ୍ତି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଧ୍ୟ ସ୍ଥିତି ଉପରେ ନଜର ରଖିଛନ୍ତି।

Leave a Reply

Your email address will not be published. Required fields are marked *

Back to top button