୨୦୦୦ ରକେଟ୍ର ସମ୍ମୁଖୀନ ପାଇଁ ଇସ୍ରାଏଲ୍ ପ୍ରସ୍ତୁତ

ଇସ୍ରାଏଲ୍ : ଲେବାନନ୍ର ହିଜ୍ବୁଲ୍ଲାହ୍ ସହ ଇସ୍ରାଏଲ୍ ଯୁଦ୍ଧ କରିବାକୁ ଚାହେଁନି। ଯଦି ଯୁଦ୍ଧ ହୁଏ ତେବେ ହିଜ୍ବୁଲ୍ଲାହ୍ ଦୈନିକ ନିକ୍ଷେପ କରୁଥିବା ୨୦୦୦ ରକେଟ୍ର ସମ୍ମୁଖୀନ ହେବା ପାଇଁ ଇସ୍ରାଏଲ୍ ପ୍ରସ୍ତୁତ ବୋଲି ଏହାର ଜଣେ ବରିଷ୍ଠ ସାମରିକ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି।
ସୂଚନାଯୋଗ୍ୟ ଚଳିତ ବର୍ଷ ମେ’ ମାସରେ ଗାଜା ଷ୍ଟ୍ରିପ୍ରେ ଇସ୍ରାଏଲୀୟ ସେନା ପାଲେଷ୍ଟେନୀୟ ସଶସ୍ତ୍ର ସଙ୍ଗଠନ ସହ ୧୧ ଦିନ ଯୁଦ୍ଧ କରିଥିଲା। ପାଲେଷ୍ଟେନୀୟ ସଶସ୍ତ୍ର ସଙ୍ଗଠନ ଇହୁଦୀ ରାଷ୍ଟ୍ର ଇସ୍ରାଏଲ୍ ଉପରକୁ ପ୍ରାୟ ୪,୪୦୦ ରକେଟ୍ ନିକ୍ଷେପ କରିଥିଲା। ଜନାକୀର୍ଣ୍ଣ ଅଞ୍ଚଳକୁ ଲକ୍ଷ୍ୟ କରି ନିକ୍ଷେପ କରାଯାଇଥିବା ରକେଟ୍ ଗୁଡ଼ିକରୁ ୯୦ ପ୍ରତିଶତ ରକେଟ୍କୁ ‘ଆଇରନ୍ ଡୋମ୍’ ପ୍ରତିରକ୍ଷା ବ୍ୟବସ୍ଥାଦ୍ୱାରା ପ୍ରତିହତ କରାଯାଇ। ମାତ୍ର ୩୦୦ଟି ରକେଟ୍ ଲୋକେ ବସବାସ କରୁଥିବା ଜିଲ୍ଲାମାନଙ୍କରେ ପଡ଼ିଥିଲା ଥିଲା ବୋଲି ଇସ୍ରାଏଲ୍ କହିଛି।
୨୦୦୬ରେ ଇସ୍ରାଏଲ୍ ସହ ଯୁଦ୍ଧ କରିଥିବା ବେଳେ ମାସେ ମଧ୍ୟରେ ହିଜ୍ବୁଲାହ୍ ଯେତେ ରକେଟ୍ ନିକ୍ଷେପ କରିଥିଲା ଚଳିତ ବର୍ଷ ୧୧ ଦିନିଆ ଯୁଦ୍ଧରେ ସେଗୁଡ଼ିକର ସଂଖ୍ୟା ଥିଲା ଯଥେଷ୍ଟ ଅଧିକ। ଇସ୍ରାଏଲୀୟ ସେନାର ‘ହୋମ୍ ଫ୍ରଣ୍ଟ୍ କମାଣ୍ଡ୍’ର ମୁଖ୍ୟ ୟୁରି ଗୋର୍ଡିନ୍ କହିଛନ୍ତି ମେ’ ମାସରେ ତେଲ୍ ଅଭିବ୍ ଓ ଆସ୍ଡୋଡ୍ ଭଳି ସହରରେ ସର୍ବାଧିକ ସଂଖ୍ୟକ ରକେଟ୍ ଆସିଥିଲା। ଏତେ ସଂଖ୍ୟକ ରକେଟ୍ ଆସିଥିବା ଇସ୍ରାଏଲ୍ ଇତିହାସରେ ଉଲ୍ଲେଖ ନାହିଁ। ଦୈନିକ ଇସ୍ରାଏଲ୍ ଆଡ଼କୁ ୪୦୦ରୁ ଅଧିକ ରକେଟ୍ ଆସିଥିବା ଆମେ ଦେଖିବାକୁ ପାଇଲୁ।
ସେ କହିଛନ୍ତ ଯଦି ହିଜ୍ବୁଲ୍ଲାହ୍ ସହ ସଂଘର୍ଷ କିମ୍ବା ଯୁଦ୍ଧ ହୁଏ ତେବେ ଲେବାନନ୍ରୁ ଇସ୍ରାଏଲ୍ ଆଡ଼କୁ ଦୈନିକ ଯେତେ ରକେଟ୍ ନିକ୍ଷେପ କରାଯାଇଥିଲା ଏବେ ତା’ର ୫ଗୁଣ ଆଶା କରିବୁ। ଏପରିକି ଦୈନିକ ଇସ୍ରାଏଲ୍ ଉପରକୁ ୧୫୦୦ ରୁ ୨୫୦୦ ରକେଟ୍ ନିକ୍ଷେପ କରାଯିବ।