ପୋଲିସ କବ୍ଜାରେ ଦୁର୍ଦ୍ଦାନ୍ତ ସାଗର ଓ ସହଯୋଗୀ

କଟକ : ଜଗତସିଂହପୁର ଜିଲ୍ଲା ବାଲିକୁଦାର ଦୁର୍ଦ୍ଦାନ୍ତ ଅପରାଧୀ ସାଗର ମଲ୍ଲିକ ଓ ତିନି ସହଯୋଗୀଙ୍କୁ କନ୍ଦରପୁର ପୋଲିସ ହାତରେ ଧରାପଡ଼ିଛନ୍ତି। ବାୟାଳିଶମୌଜା କାଠଯୋଡ଼ି ବ୍ରିଜ ନିକଟରେ ଏନକାଉଣ୍ଟର୍‌ର ଶିକାର ହୋଇଥିବା ଜଗତସିଂହପୁରର ରାକା ଓରଫ ରାକେଶ ଦାସ ହେଉଛି ସାଗରର ସହଯୋଗୀ। ଅନ୍ୟ ସହଯୋଗୀଙ୍କୁ ମଧ୍ୟ ପୋଲିସ ଉଠାଇ ନେଇଥିବା ବେଳେ ସେମାନଙ୍କ ନିକଟରୁ କୌଣସି ମାରଣାସ୍ତ୍ର ଜବତ ହୋଇ ନଥିବା କୁହାଯାଉଛି।

ଖବର ଅନୁଯାୟୀ ରାକାକୁ କନ୍ଦରପୁର ଥାନା ପୋଲିସ ଏନକାଉଣ୍ଟର୍‌ କରିବା ପରେ ସାଗର ଗ୍ୟାଙ୍ଗ୍‌ରେ ଆତଙ୍କ ଖେଳିଯାଇଛି। ଅନେକ ସହଯୋଗୀ ଜଗତସିଂହପୁର ଅଞ୍ଚଳରୁ ଫେରାର ହୋଇଯାଇଥିବା ଜଣାପଡିଛି। ସାଗର ମଲ୍ଲିକ ବାଲିକୁଦାରେ ଦୀର୍ଘ ୧୫ ବର୍ଷ ହେବ ନିଜର ସାମ୍ରାଜ୍ୟ ବିସ୍ତାର କରିଆସିଥିଲା। ବାଲିକୁଦା ସମେତ ନାଉଗାଁ, ଜଗତସିଂହପୁର ଟାଉନ୍‌, କଟକ ଜିଲ୍ଲାର କିଶନନଗର ଓ କଟକ ସହରରେ ମଧ୍ୟ ଚାଲିଥିଲା ତା’ର ଅପରାଧିକ କାର୍ଯ୍ୟକଳାପ। କମିସନରେଟ୍ ପୋଲିସ ଓ ଜଗତସିଂହପୁର ଜିଲ୍ଲା ପୋଲିସ ରେକର୍ଡରେ ସାଗର ବିରୋଧରେ ରହିଛି ପ୍ରାୟ ୧୫ରୁ ୨୦ ମାମଲା। ଟେଣ୍ଡର ଫିକ୍ସିଂ, ବନ୍ଧୁକ କାରବାର, ଦାଦାବଟି ଓ ଡକାୟତି ଭଳି ସଂଗିନ ମାମଲାରେ ସେ ସମ୍ପୃକ୍ତ ଥିବା ସୂଚନା ରହିଛି।

Leave a Reply

Your email address will not be published. Required fields are marked *

Back to top button